Odia News Portal

ଗାନ୍ଧୀ ଚେତନାର ସଫଳ ପ୍ରୟୋଗ କ୍ଷେତ୍ର ଓଡ଼ିଶା : ରାଜ୍ୟପାଳ

ଭୁବନେଶ୍ବର:ମହାତ୍ମା ଗାନ୍ଧୀଙ୍କ ଚେତନାର ସଫଳ ପ୍ରୟୋଗ ଓ ପ୍ରକାଶ ହୋଇଥିଲା ଓଡ଼ିଶାରେ । ଓଡ଼ିଶାର ଆତ୍ମିକ ଶକ୍ତି ଓ ସାମର୍ଥ୍ୟରୁ ସେ ପ୍ରେରଣା ସଂଗ୍ରହ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ବିଶେଷ ଭାବରେ ମଧୁବାବୁ ଓ ଗୋପବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାରେ ମୁକ୍ତି ଆନ୍ଦୋଳନ ୧୯୫୭ର ବହୁ ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଲିଥିଲା । ମହାତ୍ମା ଗାନ୍ଧୀ ଯେଭଳି ଓଡ଼ିଶାର ସାମାଜିକ ଓ ରାଜନୀତିକ ଜୀବନକୁ ପ୍ରଭାବିତ କରିଛନ୍ତି; ସେ ମଧ୍ୟ ସେଭଳି ପ୍ରଭାବିତ ହୋଇଛନ୍ତି । ଓଡ଼ିଶା ଓ ଗାନ୍ଧିଜୀଙ୍କ ସଂପର୍କ ପୁନଃ ଆକଳନ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ ।
ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ଅଭିରାମ ବିଶ୍ୱାଳ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ ବିସ୍ତୁତ ସୂଚନା ପ୍ରଦାନ କରି କହିଲେ ଯେ ଗାନ୍ଧୀଙ୍କ ଆହ୍ୱାନ ଓ ସ୍ପର୍ଶରେ ସେତେବେଳର ଓଡ଼ିଶାରେ ସକରାତ୍ମକ ରୂପାନ୍ତରଣ ହୋଇଥିଲା । ତାଙ୍କ ପ୍ରଭାବରେ ଅନେକ ସ୍ଥାନୀୟ ଗାନ୍ଧୀଙ୍କ ଆବିର୍ଭାବ ଓଡ଼ିଶାର ଜନଜୀବନରେ ନୂତନ ଆଲୋକ ଓ ପୁଲକ ଭରି ଦେଇଥିଲା ।

ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା, ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତି, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ ପ୍ରମୁଖ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ଅଧ୍ୟାପିକା ସ୍ନେହଲତା ପୃଷ୍ଟି ସଂଯୋଜନା କରିଥିଲେ । ପରେ ନାଜିଆ ଆଲମ୍, ପ୍ରେମ ଆନନ୍ଦ, ଶ୍ରୀଚରଣ ମହାନ୍ତି, ପ୍ରଜ୍ଞା, ସମୀକ୍ଷା ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ ।