Odia News Portal

ଶ୍ରାଦ୍ଧଦିବସରେ ବିଜୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଧୁନିକ ଓଡ଼ିଶା ନିର୍ମାଣ ସହ ନାରୀ ସଶକ୍ତିକରଣ ଓ ଲୋକଙ୍କ କଲ୍ୟାଣ କ୍ଷେତ୍ରରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ପ୍ରଫୁଲ୍ଲ କୁମାର ସାମଲ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ନିଦେ୍ର୍ଦଶକ କୃପାସିନ୍ଧୁ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ‘ଶାଶ୍ୱତୀ’ ସାଂସ୍କୃତିକ ଅନୁଷ୍ଠାନର ସଂଗୀତଶିଳ୍ପୀମାନେ ବିଜୁବାବୁଙ୍କ ଉପରେ ଆଧାରିତ ସଂଗୀତ ଗାନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ, ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରମୁଖ ବିଜୁ ପଟ୍ଟନାୟକଙ୍କର ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ବିଜୁ ବାବୁ ଥିଲେ ଜଣେ ଉତୁଙ୍ଗ ନେତୃତ୍ୱ । ଦିନେ ସାରା ବିଶ୍ୱକୁ ତାଙ୍କ ନେତୃତ୍ୱ ପ୍ରସାରିତ ଥିଲା । ତାଙ୍କ ଜୀବଦଶାରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବାର ସଂକଳ୍ପ, ଆଜି ତାଙ୍କୁ ଜଣେ କାଳଜୟୀ ନେତା ଭାବେ ମର୍ଯ୍ୟାଦା ଦେଇଛି । ସମଗ୍ର ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ବିଜୁ ବାବୁ ଜୀବନବ୍ୟାପୀ ଓଡ଼ିଆ ଜାତିର ସମୃଦ୍ଧି ଓ ବିକାଶ ଲାଗି କେବଳ ଜଣେ ସମର୍ପିତ ବ୍ୟକ୍ତିତ୍ୱ ନଥିଲେ ବରଂ ସ୍ୱାଧୀନତା ପରବର୍ତୀ ନବ ଓଡ଼ିଶା ଗଠନରେ ତାଙ୍କର ଅମ୍ଲାନ ଭୂମିକାକୁ ଓଡ଼ିଆ ଜାତି ସବୁଦିନ ସ୍ମରଣ କରିବ । ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ବଳିଦାନ, ଅସୀମ ତ୍ୟାଗ, ଚିନ୍ତା ଓ ଚେତନା ସବୁବେଳେ ଆମକୁ ପ୍ରେରଣା ଦେଉଥିବ । ଆଜି ଏହି ପବିତ୍ର ଶ୍ରାଦ୍ଧ ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା ବିଜୁ ବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନରେ ପୁଣିଥରେ ନିଜକୁ ସମର୍ପିତ କରିବା । ଏହାସହ ଆମ ବ୍ୟକ୍ତିଗତ ଜୀବନରେ ଓଡ଼ିଆ ଜାତି ଗଠନ ପାଇଁ ପ୍ରବାଦ ପୁରୁଷ ଦେଖିଥିବା ସ୍ୱପ୍ନକୁ ଯଦି ଆମେ କିଛି ପରିମାଣରେ ରୂପାୟିତ କରିପାରିବା, ତାହା ହିଁ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।
ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁ ଓଡ଼ିଆ ଜାତିର ଚିରନମସ୍ୟ । ତାଙ୍କର ପ୍ରେରଣା, ସଂଘର୍ଷ ଆମକୁ ସବୁବେଳେ ଉଦ୍ବୁଦ୍ଧ କରୁଥିବ । ସେ ଥିଲେ ଜାତୀୟତାର ପ୍ରତୀକ । ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ସମଗ୍ର ଜୀବନ ସମର୍ପିତ ଥିଲା । ଆଜି ପବିତ୍ର ଶ୍ରାଦ୍ଧ ଦିବସରେ ତାଙ୍କର ଅମ୍ଲାନ ପ୍ରତିଭା ପ୍ରତି ଶ୍ରଦ୍ଧା ନିବେଦନ କରୁଛୁ ।