Odia News Portal

କାଲି ପଦ୍ମପୁର ଗଣତି :୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି

ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନର ଗଣତି ଆସନ୍ତାକାଲି ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଥମେ ସକାଳ ୮ରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ ଗଣତି । ୭ଟା ୫୯ସୁଦ୍ଧା ଆସିଥିବା ସମସ୍ତ ପୋଷ୍ଟାଲ ବାଲଟ ଗଣାଯିବ । ଏହାପରେ ସାଢେ ୮ରୁ ଲଗାତର ଭାବେ ଇଭିଏମ କାଉଣ୍ଟିଂ କରାଯିବ । ମୋଟ ୩୧୯ ବୁଥ ପାଇଁ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ଏହାସହ ରିଟର୍ଣ୍ଣିଂ ଅଫିସରଙ୍କ ଗୋଟିଏ ଟେବୁଲ ରହିବ । ୫ଟି ବୁଥର ହେବ ଭିଭିପାଟ୍ ଗଣତି । ଗଣତି କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ତରଫରୁ ଜେନେରାଲ ଅବଜରଭର ନିଯୁକ୍ତ ଅଛନ୍ତି । ସମସ୍ତ ଗଣତି ପ୍ରକ୍ରିୟାକୁ ସେ ତଦାରଖ କରିବେ । ସେହିପରି ଦୁଇଜଣ ଟେକନିକାଲ ଅବଜରଭର ଅଛନ୍ତି । ଇଭିଏମରେ କୌଣସି ତ୍ରୁଟି ହେଲେ ସଙ୍ଗେସଙ୍ଗେ ବ୍ୟବସ୍ଥା କରିବେ । ସେହିପରି ପ୍ରତି ପ୍ରାର୍ଥୀଙ୍କର କାଉଣ୍ଟିଂ ଏଜେଣ୍ଟ ମଧ୍ୟ ଇସିଆଇ ପ୍ରଦତ୍ତ ନିଯୁକ୍ତି ପତ୍ର ଧରି ଉପସ୍ଥିତ ରହିବେ ।

ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଆରପିଏଫ୍, ରାଜ୍ୟ ସଶସ୍ତ୍ର ବାହିନୀ ଓ ରାଜ୍ୟ ପୋଲିସ ମୁତୟନ ହୋଇଛନ୍ତି । ଗଣତି କେନ୍ଦ୍ର ଆଗରେ ଗଣମାଧ୍ୟମର ସୁବିଧା ପାଇଁ ବ୍ୟବସ୍ଥା ହୋଇଛି । ଭୁବନେଶ୍ବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଗଣମାଧ୍ୟମ ପାଇଁ ଫଳାଫଳ ଜାଣିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।