Odia News Portal

ପାକିସ୍ତାନର ଲଜ୍ଜାଜନକ ରେକର୍ଡ, ବିଜୟ ଅଭିଯାନ ଆରମ୍ଭ କଲା ୱେଷ୍ଟଇଣ୍ଡିଜ

ପାକକୁ ପାଣି ପିଆଇଲା ୱେଷ୍ଟଇଣ୍ଡିଜ୍ । ପ୍ରଥମ ମ୍ୟାଚକୁ ଅତ୍ୟନ୍ତ ସହଜରେ କରିନେଲା କବଜା । ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍ । ନଟିଂହାମର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟର ୨ୟ ମ୍ୟାଚରେ ଆଜି ସାମ୍ନସାମ୍ନି ହୋଇଥିଲେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ତେବେ ପ୍ରାରମ୍ଭରୁ ହିଁ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା ପାକିସ୍ତାନ ।

ମାତ୍ର ୧୦୫ ରନରେ ସୀମିତ ହୋଇଗଲା ଟିମ୍ । ୱେଷ୍ଟଇଣ୍ଡିଜର ବୋଲିଂ ଆକ୍ରମଣ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲା ପାକିସ୍ତାନ । ମାତ୍ର ୨୧.୪ ଓଭର ଖେଳି ୧୦୫ରେ ଅଲଆଉଟ୍ ହୋଇଯାଇଥିଲା । ପାକିସ୍ତାନର ଏହା ଥିଲା ଅତ୍ୟନ୍ତ ଲଜ୍ଜାଜନକ ରେକର୍ଡ ଯାହାକୁ କେହି ବି ଭାଙ୍ଗିବାକୁ ଚାହିଁବେନି । ପାକିସ୍ତାନ ପକ୍ଷରୁ ଫକର ଜମାନ ଓ ବାବର ଆଜାମ ପାକିସ୍ତାନ ପାଇଁ ସର୍ବାଧିକ ୨୨ ରନ ଲେଖାଏଁ କରିଥିଲେ । ଓପନର ଇମାମ-ଉଲ ହକ ମାତ୍ର ୨ ରନ କରି କଟ୍ରିଲଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଓସାଇନ୍ ଥୋମାସ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଜସନ ହୋଲଡରଙ୍କୁ ମିଳିଥିଲା ୩ଟି ଓ୍ଵିକେଟ୍ । ସେହିପରି ଆନ୍ଦ୍ରେ ରସଲ ୩ ଓଭରରେ ୩ ରନ୍ ଦେଇ ୨ ଓ୍ଵିକେଟ ନେଇଥିଲେ। ଅନ୍ୟପଟେ ୧୦୬ ରନର ବିଜୟଲକ୍ଷ୍ୟକୁ ପିଛାକରି ମାତ୍ର ୧୪ ତମ ଓଭରରେ ଟାର୍ଗେଟ ହାସଲ କରିଛି ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ପକ୍ଷରୁ ଗେଲ ୩୪ଟି ବଲ ଖେଳି ୬ଟି ଚୌକା ଓ ୩ଟି ଛକା ସହାୟତାରେ ସର୍ବାଧିକ ୫୦ ରନ କରିଥିଲେ ।