Odia News Portal

ମାଓବାଦୀଙ୍କ ମେଳି

ଡିସେମ୍ବର ମାସ ୨ ତାରିଖରୁ ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବାକୁ ମାଓବାଦୀ ଆହ୍ବାନ ଦେଇଛନ୍ତି। ସପ୍ତାହେ ବ୍ୟାପୀ ଚାଲିବାକୁଥିବା ଏହି କାର‌୍ୟ୍ୟକ୍ରମରେ ପ୍ରତ୍ୟେକ ଗ୍ରାମରେ ଲୋକେ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ରାଲି ଏବଂ ସଭାର ଆୟୋଜନ କରିବେ। ପିଏଲଜିଏ ଯୁଦ୍ଧରେ ଯେଉଁ ମାନଙ୍କର ମୃତ୍ୟୁ ହୋଇଛି, ସେମାନଙ୍କୁ ପୁଣି ଥରେ ମନେ ପକାଇ ସେମାନଙ୍କୁ ଅନୁକରଣ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ସଂଗଠନରେ ଯୁବକ ଯୁବତୀଙ୍କୁ ସାମିଲ କରିବା ପାଇଁ ମାଓବାଦୀ ଏହି ସପ୍ତାହରେ ବିଭିନ୍ନ କାର‌୍ୟ୍ୟକ୍ରମ କରିବେ। ଦୁର୍ଗମ ଅଂଚଳରେ ସହିଦ ସ୍ତମ୍ଭ ନିର୍ମାଣ କରି ସହିଦଙ୍କ ଉଦ୍ଦେଶ୍ୟରେ ନାଚଗୀତର ଆୟୋଜନ କରିବେ।
ଶତ୍ରୁକୁ କିପରି ହରାଇ ସେମାନେ ଗତ ୧୮ ବର୍ଷ ଧରି ପିଏଲଜିଏକୁ ପାଳନ କରିଆସୁଛନ୍ତି ସେନେଇ ଗଣନାଟ୍ୟ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାର କାର‌୍ୟ୍ୟକ୍ରମ ରହିଛି। ଚାରୁ ମୁଜୁମଦାର ଏବଂ କହ୍ନେଇ ଚାଟାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କୁହାଯାଇଛି। ତେବେ ମାଓବାଦୀଙ୍କ ସହିଦ ଦିବସ ପାଳନ ହେବା ସମୟରେ ଅନେକ ସମୟରେ ହିସାଂକାଣ୍ଡ ହେବାରେ ଦେଖାଯାଇଛି । ତେଣୁ ମାଓବାଦୀଙ୍କର ପିଏଲଜିଏ ସପ୍ତାହ ଅବସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି । ଖାସକରି ମାଓଇଲାକାରେ ଯବାନମାନଙ୍କୁ ଆଲର୍ଟ କରାଯାଇଛି ।