Odia News Portal

୩ କୋଟିଙ୍କୁ ମାଗଣା ଟିକା: ମୋଦି

ନୂଆଦିଲ୍ଲୀ: ଭାରତରେ ୧୬ ଜାନୁଆରୀ ଠାରୁ କରୋନା ପାଇଁ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି କି ପ୍ରଥମ ପର୍ଯ୍ୟାୟରେ କରୋନାଯୁଦ୍ଧରେ ଆଗଧାଡିର କାମ କରୁଥିବା ସଫେଇ କର୍ମଚାରୀ, ସାଧାରଣ କର୍ମଚାରୀ ଓ ରକ୍ଷା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ । ସେ କହିଛନ୍ତି କି ପୁରା ଦେଶରେ ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ୩ କୋଟି । ପ୍ରଥମ ପର୍ଯ୍ୟାୟରେ ଏହି ୩ କୋଟି ଲୋକଙ୍କୁ ଟିକା ଦିଆଯିବ । ଏହି ଟିକାକରଣ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହା କେନ୍ଦ୍ର ସରକାର ବହନ କରିବେ । ଅନ୍ୟପଟେ ଟିକା ନେବା ପରେ ଯଦି କୌଣସି ଲୋକ ପାଖରେ ପାଶ୍ୱ ପ୍ରତିକ୍ରିୟା ଦେଖାଯାଏ ତାହେଲେ ସେନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି କରୋନା ବିରୋଧ ଲଢେଇରେ ଆମେ ନିର୍ଣ୍ଣାୟକ ସ୍ଥରରେ ପହଞ୍ଚିଛୁ । ଏହାସହ ବିଶ୍ୱର ସବୁଠାରୁ ବୃହତ ଟିକାକରଣ କରିବାକୁ ଭାରତ ପ୍ରସ୍ତୁତ ହୋଇଛି । ଭାରତ ଯେଉଁ ଦୁଇଟି ଟିକାକୁ ମଞ୍ଜୁରୀ ଦେଇଛନ୍ତି ତାହା ଭାରତରେ ତିଆରି ହୋଇଛି । ମଞ୍ଜୁରୀ ମିଳିଥିବା ୨ ଟି ଭ୍ୟାକସିନ୍ ବ୍ୟତିତ ଅନ୍ୟ ୪ ଟି ଭ୍ୟାକସିନ ଏବେ ଟ୍ରାଏଲ ସ୍ତରରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଆମର ବୈଜ୍ଞାନିକ ମାନେ କିଭଳି ସୁରକ୍ଷିତ ଭାବେ ଲୋକମାନଙ୍କୁ ଟିକା ଦିଆଯାଇ ପାରିବ ତାହାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ ଭରଶା ଦେଇଛନ୍ତି ।