Odia News Portal

ବିଜୟ ଦିବସରେ ଭାରତ-ପାକ୍ ୧୯୭୧ ଯୁଦ୍ଧର ୫୦ତମ ବାର୍ଷିକୀ ପାଳନ କରୁଛି ଦେଶ

ଆଜି ହେଉଛି ବିଜୟ ଦିବସ । ଭାରତ-ପାକ୍ ୧୯୭୧ ଯୁଦ୍ଧର ୫୦ତମ ବାର୍ଷିକୀ ପାଳନ କରୁଛି ଦେଶ ।ଏହି ଦିନ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ଭାରତ ଓ ରଚିଥିଲା ସ୍ୱର୍ଣ୍ଣିମ ଇତିହାସ । ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ଓ ବୀରତ୍ୱର ପ୍ରଦର୍ଶନ ଦେଖି ଭାରତ ନିକଟରେ ହାର ମାନିଥିଲା ପାକିସ୍ତାନର ସେନାବାହିନୀ । ୧୯୭୧ ମସିହାରେ ହୋଇଥିବ ଏଇ ଭାରତ-ପାକ ଯୁଦ୍ଧରେ ପାକିସ୍ତାନ ସେନାମୁଖ୍ୟଙ୍କ ସହ ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ।

ପାକିସ୍ତାନ ସହ ଯୁଦ୍ଧରେ ଭାରତ ବିଜୟର ୫୦ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସମର ସ୍ମାରକୀରୁ ବିଜୟ ମଶାଲ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଡିସେମ୍ବର ୧୯୭୧ରେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ସେନା ଉପରେ ଏକ ନିର୍ଣ୍ଣାୟକ ତଥା ଐତିହାସିକ ବିଜୟ ହାସଲ କରିଥିଲା ଯାହା ଫଳରେ ଏକ ନୂତନ ରାଷ୍ଟ୍ର ବାଂଲାଦେଶ ସୃଷ୍ଟି ହୋଇଥିଲା।ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଯୁଦ୍ଧରେ ପାକ ସେନାର ସମର୍ପଣ ‘ସର୍ବ ବୃହତ ସାମରିକ ଆତ୍ମସମର୍ପଣ’ ଭାବେ ଜଣାଯାଏ। ଡିସେମ୍ବର ୧୬ରୁ ଦେଶ ପାକ୍ ଯୁଦ୍ଧର ୫୦ ବର୍ଷ ପାଳନ କରିବ ଯାହାକୁ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ମଧ୍ୟ କୁହାଯାଏ।

ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ବିଜୟ ଦିବସ ଅବସରରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇବା ସହ ସ୍ୱର୍ଣ୍ଣିମ ବିଜୟ ବର୍ଷ ଲୋଗୋର ଅନାବରଣ କରିଛନ୍ତି। ପ୍ରଧାନମନ୍ତ୍ରୀ, ସିଡିଏସ ଏବଂ ତିନି ସେନାର ମୁଖ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱର୍ଣ୍ଣିମ ବିଜୟ ମଶାଲରେ ଅଗ୍ନି ସଂଯୋଗ ମଧ୍ୟ କରିଛନ୍ତି | ଏହି ସମାରୋହରେ ୧୯୭୧ ଯୁଦ୍ଧରେ ପରମବୀର ଚକ୍ର ଏବଂ ମହାବୀର ଚକ୍ର ବିଜେତା ସୈନିକଙ୍କ ଗାଁକୁ ମଧ୍ୟ ସାମିଲ କରାଯାଇଛି। ଆସନ୍ତାବର୍ଷ ନୂଆଦିଲ୍ଲୀରେ ଏହି ମଶାଲ ଯାତ୍ରା ସମ୍ପୂର୍ଣ୍ଣ ହେବ।