Odia News Portal

ଟିକାର ଶୂନ ଅପଚୟ ପ୍ରଧାନମନ୍ତ୍ରୀଙ୍କ ଫୋକସ୍

ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ପୁଣି କରୋନାର ଦ୍ୱିତୀୟ ଲହର ଦେଖାଦେଇଛି । ମହାରାଷ୍ଟ୍ର ଓ ଗୁଜରାଟର ସୁରଟ ସମେତ କିଛି ସହରରେ ଆଜିଠାରୁ ନାଇଟକର୍ଫ୍ୟୁ ଜାରି ହୋଇଛି । ଅଧିକାଂଶ ସହରରେ କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି। ତେବେ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଛି।ଏହି ସମୟରେ ମୋଦି କହିଛନ୍ତି, ଲୋକଙ୍କୁ ଭୟଭୀତ ନକରି ଆମେ ସଚେତନ କରିବା ଦରକାର। ଯେଉଁଠି ଜରୁରୀ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ। କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସ ପାଇଁ ଆବଶ୍ୟକ ଥିଲେ ତାହା ମଧ୍ୟ କରାଯାଉ। ସହରରୁ ଯେମିତି ଗାଁକୁ ନବ୍ୟାପିବ ସେଥିପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ହେଉ। ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ନେଇ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ।

ସେହିଭଳି ଟେଷ୍ଟିଂ ବଢାଇବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ମହାରାଷ୍ଟ୍ର, ପଞ୍ଜାବ, କେରଳ ଭଳି ରାଜ୍ୟରେ ବଢୁଥିବା ମାମଲା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି ।ମୋଦି କହିଛନ୍ତି, ଦେଶର କିଛି ରାଜ୍ୟରେ ହଠାତ କରୋନା ମାମଲା ବଢୁଛି । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ପଜିଟିଭ ରେଟ୍ ବଢିଛି । ତେଣୁ ଏହାକୁ ରୋକାନଗଲେ ଦେଶବ୍ୟାପୀ ଖରାପ ପ୍ରଭାବ ପଡିପାରେ ବୋଲି ସେ ଚେତାଇ ଦେଇଛନ୍ତି । ଆରଟିପିସିଆର ଟେଷ୍ଟିଂ ବଢାଇବା ଉପରେ ବି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ଓଡ଼ିଶା, ବିହାର ଆଦି ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ବେଶୀ ହେଉଛି। ସେସବୁ ବଦଳାଇ ଆରଟିପିସିଆର ଟେଷ୍ଟ କରାଯିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି କହିଛନ୍ତି।

ଆରଟିପିସିଆର ଟେଷ୍ଟ ଯେତେ ବଢ଼ିବ, ସଂକ୍ରମଣ ବୃଦ୍ଧି ସେତେ ଶୀଘ୍ର କମିବ। ବିଦେଶାଗତଙ୍କ ପରୀକ୍ଷା ଓ କଣ୍ଟା ଟ୍ରେସିଂ ପ୍ରତି ଗୁରୁତ୍ୱ ଦେବା ଜରୁରୀ। ଦେଶରେ ଟିକାକରଣ ଗତି ବଢ଼ିଛି। ଆମେ ଦିନକୁ ୩୦ ଲକ୍ଷ ଟିକା ଦେଉଛୁ। ଅନେକ ରାଜ୍ୟରେ ଟିକା ନଷ୍ଟ ହେଉଥିବା ଖବର ସାମ୍ନାକୁ ଆସୁଛି। ତେଲେଙ୍ଗାନାରେ ୧୦% ଟିକା ନଷ୍ଟ ହେଉଥିବା ଜଣାପଡ଼ିଛି। ଟିକା ନଷ୍ଟ ହେବା ଅର୍ଥ, କାହାର ଅଧିକାରକୁ ଆମେ କ୍ଷୂଣ୍ଣ କରୁଛୁ। କୌଣସି ଲୋକର ଅଧିକାର କ୍ଷୂଣ୍ଣ କରିବାର ଅଧିକାର ଆମର ନାହିଁ। ଟିକାର ଶୂନ ଅପଚୟକୁ ନିଶ୍ଚିତ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି। ମିଶନ ମୋଡ୍ରେ କାମ କଲେ ଟିକା ଅପଚୟ କମିବ। ସଂକ୍ରମଣ ରୋକିବାକୁ ଦବାଇ ଓ କଡ଼ାଇ ନିଶ୍ଚିତ ମାନିବାକୁ ହେବ। ଏହା ସୁଶାସନ ପରୀକ୍ଷାର ସମୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।