Odia News Portal

ସଂଗୀତ ନିର୍ଦ୍ଦେଶକ ହତ୍ୟା ପଛରେ ପୂର୍ବ ଶତ୍ରୁତା: ସିପି

୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ମଞ୍ଚେଶ୍ୱର ଅଞ୍ଚଳରେ ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲା । ୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତର ନାଁ ହେଉଛି ବିକ୍ରମାଦିତ୍ୟ ଜେନା । ଆଜି ପ୍ରେସମିଟରେ ହତ୍ୟାକାଣ୍ଡ ବାବଦରେ ଖୁଲାସା କରିଛି ପୋଲିସ । ୨୦୦୮ରେ ମଞ୍ଚେଶ୍ୱର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ୨୦୦୮ ଅକ୍ଟୋବର ୧୦ ତାରିଖରେ ହତ୍ୟା କରାଯାଇଥିଲା । ଚକେଇସିଆଣି ନିକଟ ରାସ୍ତାକଡ଼ରୁ କାର୍‌ ଭିତରୁ ସୁମନ୍ତଙ୍କ ମୃତଦେହ ମିଳିଥିଲା ।ତେବେ ଘଟଣାରେ ପୂର୍ବରୁ ମୁଖ୍ୟଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ପଞ୍ଚମ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ୧୩ ବର୍ଷ ତଳର ଏହି ହତ୍ୟା ପଛରେ ପୂର୍ବ ଶତ୍ରୁତା ହିଁ ମୁଖ୍ୟ କାରଣ ଥିଲା । ଗିରଫ ହୋଇଥିବା ଅପରାଧୀ ଜଣକ ନିଜ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରିଥିଲା । ଏଥିପାଇଁ ସେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ସହିତ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିଲା । ଏବଂ ହତ୍ୟା କରିବା ପରେ ସୁମନ୍ତଙ୍କୁ ତାଙ୍କ ଗାଡି ଭିତରେ ହିଁ ରଖି ଦେଇଥିଲା ।

ପୋଲିସ ଏହି ହତ୍ୟାକାଣ୍ଡରେ ୪ ଜଣଙ୍କୁ ଗିରଫ କରିଥିଲା । ହେଲେ ପଂଚମ ଅଭିଯୁକ୍ତ ବିକ୍ରମ ଆଦିତ୍ୟ ଜେନା ଏହି ହତ୍ୟା କରିବା ପରେ ଫେରାର୍ ହୋଇଯିବା ସହିତ ପୋଲିସ ହାତରୁ ଖସି ଯାଇଥିଲା । ଗତ ୧୩ ବର୍ଷ ହେଲା ସେ ପୁନେରେ ରହିବା ସହିତ ଜଣେ ଜିମ୍ ଟ୍ରେନର ଭାବେ କାମ କରୁଥିଲା । ମଝିରେ ମଝିରେ ସେ ନିଜ ଘର ସହିତ ମଧ୍ୟ ସଂପର୍କରେ ରହୁଥିଲା । ପୋଲିସ ଏହାପରେ ଛାନଭିନ୍ କରି ତାକୁ ଗିରଫ କରିଛି ବୋଲି କହିଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।