Odia News Portal

ଏଣିକି ଜେଲ୍‌ରେ ରୋମାନ୍ସ କରିବେ କଏଦୀ, ମିଳିବ ୨ ଘଣ୍ଟା ସମୟ

ଜେଲ୍‌ରେ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିପାରିବେ କଏଦୀ । ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କଏଦୀମାନଙ୍କୁ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିବାକୁ ଅନୁମତି ଦେଇଛନ୍ତି । ଏଣିକି କଏଦୀମାନେ ଜେଲର ଚାରିକାନ୍ଥ ଭିତରେ ଥାଇବି ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଆଗକୁ ବଢ଼ାଇ ପାରିବେ । ହେଲେ ଏଥିପାଇଁ ଅନେକ ସର୍ତ୍ତାବଳୀ ଓ ନିୟମ ମଧ୍ୟ ରହିଛି । ଏଭଳି ଦାମ୍ପତ୍ୟ ରୋମାନ୍ସ ବ୍ୟବସ୍ଥା ଗୋଣ୍ଡିୱାଲ ସାହିବ, ନବହାରେ ଥିବା ନୂଆ ଜେଲ ଓ ଭାଟିଣ୍ଡାରେ ଥିବା ନୂଆ ଜେଲରେ ଲାଗୁ ହୋଇଛି । କଏଦୀମାନଙ୍କୁ ୨ ମାସକୁ ଏନେଇ ୨ ଘଣ୍ଟା ସମୟ ମିଳିବ । ଅର୍ଥାତ୍ କଏଦୀମାନେ ୨ ମାସରେ ୨ ଘଣ୍ଟା ପାଇଁ ଦାମ୍ପତ୍ୟ ଜୀବନ ଉପଭୋଗ କରିବାକୁ ସୁଯୋଗ ମିଳିବ । ଏଥିପାଇଁ ଜେଲ ବିଭାଗ ଗୋଟିଏ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରିଛି ଓ ଏଥିରେ ବାଥରୁମ ଆଟାଚ କରାଯାଇଛି । ଦୀର୍ଘଦିନ ହେଲା ଜେଲରେ ଥିବା କଏଦୀଙ୍କୁ ଏହି ଯୋଜନାର ଲାଭ ଉଠାଇବାକୁ ଅଗ୍ରାଧିକାର ଦିଆଯିବ । ଏହି ଯୋଜନା କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହ ଦାମ୍ପତ୍ୟ ଜୀବନକୁ ଆଗକୁ ନେବ ।

ଏହାର ପ୍ରଭାବ ମଧ୍ୟ ଜଣେ କଏଦୀଙ୍କୁ ଉଚିତ ମାର୍ଗରେ ନେବାକୁ ସହାୟକ ହେବ ବୋଲି ବିଭାଗ ଆଶା ରଖିଛି । ଜଣେ ମହିଳା/କିମ୍ବା ପୁରୁଷଙ୍କୁ ପ୍ରଥମେ କଏଦୀଙ୍କ ସହ ତାଙ୍କର ବିବାହ ହୋଇଛି ବୋଲି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ସେହିପରି ସେ ଏଚଆଇଭି କିମ୍ବା ଅନ୍ୟ ଯୌନ ସଂକ୍ରମଣ ରୋଗରେ ଆକ୍ରାନ୍ତ ନ ଥିବା ରିପୋର୍ଟ ଦେଖାଇବେ । ଏଥିସହ କୋଭିଡ୍ ନେଗେଟିଭ ରିପୋର୍ଟ ମଧ୍ୟ ସାଙ୍ଗରେ ଆଣିବାକୁ ପଡ଼ିବ । ଏହାକୁ ଯାଞ୍ଚ କରିବା ପରେ ହିଁ ଜଣେ ପୁରୁଷ କିମ୍ବା ମହିଳାଙ୍କୁ ଜେଲରେ ଥିବା ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ମିଳିବ । ତେବେ ସମସ୍ତ ହାର୍ଡକୋର ଅପରାଧୀ, ଗ୍ୟାଙ୍ଗଷ୍ଟର ଓ ଯୌନ ନିର୍ଯାତନା ଭଳି ଅପରାଧରେ ଗିରଫ ହୋଇଥିବା କଏଦୀଙ୍କୁ ଏହି ସ୍ୱତନ୍ତ୍ର ସୁବିଧା ମିଳିବ ନାହିଁ ।ଏପରି ବ୍ୟବସ୍ଥା ବହୁ ପୂର୍ବରୁ ଆମେରିକା, ଜର୍ମାନୀ, କାନାଡା, ପାକିସ୍ତାନ, ଅଷ୍ଟ୍ରେଲିଆ, ବ୍ରାଜିଲ, ଫ୍ରାନ୍ସ ଓ ଡେନମାର୍କ ଭଳି ଦେଶରେ ଲାଗୁ ହୋଇଛି । ଏବେ ଭାରତର ପ୍ରଥମ ରାଜ୍ୟ ଭାବେ ପଞ୍ଜାବରେ ପରୀକ୍ଷାମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ।