Odia News Portal

ସ୍ମାର୍ଟସିଟିରେ ଦେଖିବାକୁ ମିଳୁନାହିଁ ସ୍ମାର୍ଟନେସ୍‌

ଅଧାପନ୍ତରିଆ ସେବା ସ୍ମାର୍ଟସିଟି ବାସୀ ହନ୍ତସନ୍ତ

ଭୁବନେଶ୍ୱର : ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର ସାମିଲ ହେବାପରେ ଲୋକଙ୍କ ଭିତରେ ଯେଉଁ ସ୍ମାର୍ଟନେସ୍‌ ଆସିଥିଲା ତାହା ଆଉ ନାହିଁ । ସ୍ମାର୍ଟସିଟିର ସ୍ମାର୍ଟନେସ୍‌ ହ୍ରାସ ପାଉଥିବାରୁ ଏଭଳି ଅବସ୍ଥା ଉପୁଜିଛି । ଅଧିକାଂଶ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ସ୍ମାର୍ଟସିଟି ବାସୀ ହନ୍ତସନ୍ତ ହେଉଛନ୍ତି ।

ସ୍ମାର୍ଟସିଟି ଘୋଷଣା ହେବାପରେ ରାଜଧାନୀ ମନେ ମନେ ଅନେକ ସ୍ୱପ୍ନ ଦେଖିଥିଲେ । ସ୍ମାର୍ଟସିଟି କର୍ତ୍ତୃପକ୍ଷ ବି ଦେଖାଇଥିଲେ ସ୍ୱପ୍ନ । ହେଲେ ସେହିସବୁ ସ୍ୱପ୍ନରୁ ଅଧିକାଂଶ ଏବେ ମରିଚିକା । ସ୍ମାର୍ଟସିଟରେ ଆରମ୍ଭ ହୋଇଥିଲା ୱାଇଫାଇ ଯୋଜନା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ହେଲେ ଦୂରଦୃଷ୍ଟିହୀନତାରୁ ତାହା ଅଚଳ । ଏହାପରେ ଗଡିଥିଲା ମୋ ସାଇକେଲ ଯୋଜନା । ମୋ ସାଇକେଲଗୁଡିକ ଏବେ ସହରର ବିଭିନ୍ନ ସ୍ଥାନରେ ମୋଖତ ଯୋଜନାରେ ସାମିଲ ହେଲାଣି । କାହାର ସିଟ୍‌ ନାହିଁ ତ ଆଉ କାହାର ଚକା ନାହିଁ । ଏଥିପାଇଁ ଅନେକ ଏହାର ପରିଚାଳନାକୁ ଦାୟୀ କରୁଛନ୍ତି । କର୍ତ୍ତୃପକ୍ଷ ୩ଟି କମ୍ପାନୀର ସାଇକେଲ ଆଣିଥିବାବେଳେ ସେମାନଙ୍କ ପାଇଁ ପ୍ରଥମରୁ ଗୋଟିଏ ଆପ୍‌ କରିପାରିଲେ ନାହିଁ । ଫଳରେ ଲୋକେ ମୁହଁ ମୋଡିଲେ ।

Mo Cycle

ସହରର ଅଧିକାଂଶ ସ୍ଥାନରେ ଏବେ ବଡ ବଡ ଇଲେକଟ୍ରୋନିକ ହୋର୍ଡିଂ ଛିଡାହୋଇଛି । ହେଲେ ଏଥିରେ କି ବାର୍ତ୍ତା ଦିଆଯାଉଛି ତାହା ସାଧାରଣ ଲୋକେ ଜାରିପାରୁ ନାହାନ୍ତି । ବର୍ଷର ଅଧିକାଂଶ ସମୟ ଏହା ମରାମତି ଚାଲିଛି । ଅନୁରୂପ ଅବସ୍ଥା ସିସିଟିଭି ବ୍ୟବସ୍ଥାର । ସହରର ଚାରିଆଡେ ସିସିଟିଭି ଲାଗିଛି । ହେଲେ ଏଥିରୁ ଅନେକ କାର୍ଯ୍ୟ କରୁନାହିଁ । ନିକଟରେ ନୂଆପଲ୍ଲୀ ଅଞ୍ଚଳରେ ସ୍ମାର୍ଟିସିଟିର ସିସିଟିଭି ତଳେ ହତ୍ୟାକାଣ୍ଡ ଘଟିଥିଲା । ପୁଲିସ୍‌ ସିସିଟିଭି ଫୁଟେଜ ଖୋଜିଲା ବେଳକୁ ତାହା ଅଚଳ । ହେଲେ କେତେକ ଛକରେ ସିସିଟିଭି ଲାଗିଥିବା ନେଇ ମାଇକ୍‌ରେ ପ୍ରଚାର ହେଉଛି ।

ସ୍ମାର୍ଟସିଟିର ଅନ୍ୟତମ ଆକର୍ଷଣ ହେଉଛି ସ୍ମାର୍ଟ ଜନପଥ । ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଏହା ନିର୍ମାଣ ଚାଲିଛି । କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ କେହି କହିପାରୁ ନାହାନ୍ତି । ସ୍ମାର୍ଟସିଟିବାସୀ ଅଧା ଖଣ୍ଡିଆ ରାସ୍ତାରେ ଗଲାବେଳେ ଧୂଳି ଧୂଆଁରେ ପୋତିହୋଇ ପଡୁଛନ୍ତି । ବର୍ଷ ବର୍ଷ ଧରି ସ୍ମାର୍ଟ ଜନପଥ ପାଇଁ ଖୋଳାତଡା ଜାରି ରହିଛି । ସେହିଭଳି ସହରବାସୀ ବିଭିନ୍ନ ବିଲ୍‌ ପଇଠ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ସ୍ମାର୍ଟବୋର୍ଡ ସ୍ଥାପନ ହୋଇଛି । ହେଲେ ଦିନଟିଏ ହେଲେ ଏହା  କାର୍ଯ୍ୟକାରୀ ହେଉନାହିଁ । ଅନେକ ଭାଙ୍ଗିରୁଜି ଗଲାଣି ।

ସ୍ମାର୍ଟସିଟି ପ୍ରକଳ୍ପରେ ଥିବା ବହୁତଳ ପାର୍କିଂ ବ୍ୟବସ୍ଥାକୁ ରାଜଧାନୀବାସୀ ଏପର୍ଯ୍ୟନ୍ତ ଦେଖପାରିଲେ ନାହିଁ । ଫଳରେ ନିଜ ନିଜ ଗାଡି ରଖିବାକୁ ସହରବାସୀ ନାନା ହୀନସ୍ତା ହେଉଛନ୍ତି । ବିଶେଷକରି ସ୍ମାର୍ଟ ଜନପଥ ସେମାନଙ୍କ ଦୁର୍ଦ୍ଦଶା ବଢାଇଛି । ଟାଇଲ ବିଛା ଓ ଘାସ ଲାଗିବା ଯୋଗୁଁ ପାର୍କିଂ ସ୍ଥାନ କମି ଯାଇଛି । ଯିଏ ଥରେ ଗାଡି ରଖିଲା ଆଉ ବାହାର କରୁନାହିଁ । ସ୍ମାର୍ଟସିଟି କର୍ତ୍ତୃପକ୍ଷ କିନ୍ନର ନିୟୋଜିତ କରି ଟିକସ ଆଦାୟ ପାଇଁ ଯେତେ ତତ୍ପରତା ପ୍ରକାଶ କରୁଛନ୍ତି ସେବାକ୍ଷେତ୍ରରେ ତାହା ଲକ୍ଷ୍ୟ କରାଯାଉ ନାହିଁ । ସ୍ମାର୍ଟସିଟର ଆଉଗୋଟିଏ ବିଫଳତା ହେଉଛି ଅଭିଯୋଗ ପ୍ରକୋଷ୍ଠ । ଏଠାରେ ଗୋଟିଏ ବିଷୟରେ ଅଭିଯୋଗ କଲେ ତାହା ଭିନ୍ନ ଅଧିକାରୀଙ୍କ ନିକଟକୁ ଯାଉଛି ଓ ଶେଷରେ ଅଭିଯୋଗକାରୀ ହତାଶ ହେଉଛନ୍ତି ।