Odia News Portal

ସିଂହଦ୍ୱାରରେ ମହିଳା ଭକ୍ତ-ପୋଲିସ ଧସ୍ତାଧସ୍ତି ; ଭାଇରାଲ ହେଲା ଭିଡିଓ

ପୁରୀ : ସିଂହଦ୍ୱାରରେ ମହିଳା ଭକ୍ତ-ପୋଲିସ ଧସ୍ତାଧସ୍ତି ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେତେଜଣ ମହିଳା ଭକ୍ତ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଡ ଡେଇଁ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଛି। ଏମିତି କି କେତେଜଣ ମହିଳା ଜୋରଜବରଦସ୍ତ ମନ୍ଦିର ଭିତରକୁ ପଶୁଥିବାବେଳେ ଆଉ କେତେଜଣ ତଳେ ପଡି ଯାଉଥିବା ଦୃଶ୍ୟ ଏଥିରେ ରହିଛି। ଶୁକ୍ରବାର ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି।

ଭାଇରାଲ ଭିଡିଓ କେଉଁଦିନର ତାହା ସ୍ପଷ୍ଟ ଜଣାପଡି ନାହିଁ। କିନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ସମୟର ଏହା ଦୃଶ୍ୟ ବୋଲି ଅନୁମାନ କରାଯାଉଛି। ନିକଟରେ ଶେଷ ହୋଇଛି ପଞ୍ଚୁକ। ପଞ୍ଚୁକର ଶେଷ ଦିନ ଅର୍ଥାତ୍‌ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ଭୋର ସମୟର ଏହା ହୋଇଥାଇପାରେ ବୋଲି କୁହାଯାଉଛି। ତେବେ ଏହି ଭିଡିଓରେ କେତେଜଣ ମହିଳା ଭକ୍ତ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ଦେଇ ମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ କାର୍ଯ୍ୟରତ ଉଭୟ ମହିଳା ଓ ପୁରୁଷ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। କେହି କେହି ବ୍ୟାରିକେଡ ଡେଇଁ ଯିବାବେଳେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହେଉଛି। ଏମିତି କି ସିଂହଦ୍ୱାର ଚକଡ଼ାରେ ଜଣେ ମହିଳା ପଡିଯାଉଛନ୍ତି। ଏକାଧିକ ମହିଳା ବ୍ୟାରିକେଡ ଉପରେ ଚଢି ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।