Odia News Portal

ଶ୍ରୀକ୍ଷେତ୍ରରେ ହବିଷ୍ୟାଳି ଶିବିରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ଏହି ଅବସରରେ ପୁରୀରେ ଥିବା ୩ଟି ହବିଷ୍ୟାଳି ଶିବିରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଚଳିତବର୍ଷ ପୁରୀରେ ୩ଟି ହବିଷ୍ୟାଳି ଶିବିର କରାଯାଇଛି । ରେଲୱେ ଷ୍ଟେସନ ଯାତ୍ରୀ ନିବାସ , ମୋଚି ସାହି କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣରେ ନୂତନ ନିର୍ମିତ ହେଉଥିବା ହବିଷ୍ୟାଳି ବିଲ୍ଡିଂରେ ଏହି ଶିବିର ଖୋଲାଯାଇଛି ।

ହବିଷ୍ୟାଳିଙ୍କ ରହିବା, ଖାଇବା ସହ ବ୍ରତ ପାଳନ ଓ ଜଗନ୍ନାଥ ଦର୍ଶନ ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ହବିଷ୍ୟାଳିମାନେ ମନ୍ଦିର ଯିବା ନେଇ ମଧ୍ୟ ସ୍ବତନ୍ତ୍ର ବସର ବନ୍ଦୋବସ୍ତ କରାଯାଇଛି । ବସରେ ସ୍ବେଚ୍ଛାସେବୀ ମାନେ ରହି ହବିଷ୍ୟାଳିଙ୍କୁ ନେବା ଆଣିବାରେ ସାହାଯ୍ୟ କରିବେ । ଏହାସହ ପ୍ରତ୍ୟେକ ହବିଷ୍ୟାଳି ଶିବିରରେ ସୂଚନା କେନ୍ଦ୍ର , ସ୍ବାସ୍ଥ୍ୟସେବା କେନ୍ଦ୍ର , ଅଗ୍ନିଶମ ବାହିନୀ , ପୋଲିସ ସମେତ ଘରୋଇ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

୨୪ ଘଣ୍ଟିଆ ସୁରକ୍ଷା ଓ ସୁବିଧା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସକାଳେ ଚାହା ଦେବାର ବ୍ୟବସ୍ଥା ସହ ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ସେହିପରି ଦୈନିକ ପୂଜାର୍ଚ୍ଚନା ଓ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ନେଇ ବ୍ରାହ୍ମଣ ବ୍ୟବସ୍ଥା ହୋଇଛି । ଶୀତ ଆସୁଥିବାରୁ ହବିଷ୍ୟାଳିଙ୍କୁ ଗଦି, ତକିଆ, ବେଡ଼ସିଟ ସହ କମ୍ବଳ ଯୋଗାଇ ଦିଆଯିବ । ତେବେ ୩ହଜାର ହବିଷ୍ୟାଳି ରହିବା ନେଇ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।