Odia News Portal

ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ

ଭାରତକୁ ଆଉ ଏକ ମେଡାଲ । ଟୋକିଓ ଅଲିମ୍ପିକରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍‌ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ପିଭି ସିନ୍ଧୁ । ଚାଇନାର ହେ ବିଙ୍ଗ୍‌ ଜିଆଓଙ୍କୁ ହରାଇ ଭାରତ ପାଇଁ ଆଉ ଏକ ମେଡାଲ ଆଣିଛନ୍ତି ପିଭି ସିନ୍ଧୁ । ଚାଇନାର ବିଙ୍ଗ୍‌ ଜିଆଓଙ୍କୁ ସିଧାସଳଖ ୨-୦ ରେ ହରାଇଲେ ସିନ୍ଧୁ । ପ୍ରଥମ ରାଉଣ୍ଡରେ ୨୧-୧୩ ପଏଣ୍ଟରେ ହରାଇଥିଲେ ସିନ୍ଧୁ । ସେହିଭଳି ଦ୍ବିତୀୟ ରାଉଣ୍ଡରେ ମଧ୍ୟ ୨୧-୧୫ ସେଟ୍‌ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥି ସହିତ ଭାରତକୁ ଆଉ ଏକ ପଦକ ମିଳିଛି । ଟୋକିଓ ଅଲିମ୍ପିକରେ ଭାରତକୁ ବର୍ତ୍ତମାନ ସୁଦ୍ଧା ମୋଟ ୨ଟି ପଦକ ମିଳିଛି ।

ଗତକାଲି  ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍‌ ସେମିଫାଇନାଲରେ ପରାଜିତ ହୋଇଥିଲେ ଭାରତର ପିଭି ସିନ୍ଧୁ । ବିଶ୍ବର ଏକ ନମ୍ବର ବ୍ୟାଡମିଣ୍ଟନ୍‌ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ସିନ୍ଧୁ ପରାସ୍ତ ହୋଇଥିଲେ । ପ୍ରଥମରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ସୁଦ୍ଧା ଶେଷରେ ନିରାଶ କରିଥିଲେ । ପ୍ରଥମ ସେଟ୍‌ରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ରାଉଣ୍ଡ ଶେଷ ବେଳକୁ ଚମତ୍କାର ପ୍ରଦର୍ଶନ କରି ଆଗୁଆ ହୋଇଥିଲେ ଜୁ-ୟିଙ୍ଗ । ପ୍ରଥମ ରାଉଣ୍ଡରେ ୧୮-୨୧ ଏବଂ ଦ୍ବିତୀୟ ରାଉଣ୍ଡରେ ୧୧-୨୧ରେ ପରାସ୍ତ ହୋଇଥିଲେ ପିଭି ସିନ୍ଧୁ । ଯାହା ଫଳରେ ସିନ୍ଧୁଙ୍କ ଫାଇନାଲ ଆଶା ମଉଳିଯାଇଥିଲା । କିନ୍ତୁ ବ୍ରୋଞ୍ଜ ଆଶା ଉଜ୍ଜୀବିତ ଥିଲା । ରବିବାର ଚୀନର ହେ ବିଙ୍ଗ୍‌ ଜିଆଓଙ୍କୁ ୨୧-୧୩, ୨୧-୧୫ ପଏଣ୍ଟରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ପିଭି ସିନ୍ଧୁ ।