Odia News Portal

ରାଜଧାନୀରେ ତିଆରି ହେବ ଆଉ ଦୁଇଟି ନୂଆ ଫ୍ଲାଏ ଓଭର,କମିବ ଟ୍ରାଫିକ ଜାମ୍

ଭୁବନେଶ୍ୱରରେ ଆଉ ଦୁଇଟି ନୂଆ ଫ୍ଲାଏଓଭର ତିଆରି ହେବ। କଳିଙ୍ଗ ହସ୍ପିଟାଲ ଛକରୁ ରେଲ୍‌ବିହାର ଛକ ଯାଏ ପ୍ରଥମ ଫ୍ଲାଏଓଭର ହେବ। ଡମଣା ଛକରୁ ଚନ୍ଦ୍ରଶେଖରପୁର ଥାନା ଯାଏ ଆଉ ଏକ ଫ୍ଲାଏଓଭର ରହିବ। ଉଭୟ ଫ୍ଲାଏଓଭର ୬ ଲେନ୍‌ ବିଶିଷ୍ଟ ହେବା ନେଇ ସୂଚନା ମିଳିଛି ।ଏବେ ଫ୍ଲାଏଓଭର ତିଆରି ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଡ୍ରାଫ୍ଟ ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଭୁବନେଶ୍ୱର ଡିଭିଜନ୍‌-୩ ଏହି ପ୍ଲାନ୍‌ ପ୍ରସ୍ତୁତ କରି ମୁଖ୍ୟଯନ୍ତ୍ରୀ ପାଖକୁ ପଠାଇଛି ।

ଜୟଦେବବିହାର ଛକରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଭିଡ଼ ଏଡ଼ାଇବାକୁ ଏହି ଦୁଇ ନୂଆ ଫ୍ଲାଏଓଭର ତିଆରି ହେବ । ପୂର୍ବରୁ ଏହି ରାସ୍ତାରେ ଭିଡ଼ କମାଇବାକୁ ଦୁଇ ପାରାଲାଲ୍‌ ରୋଡ୍‌ ବା ସମାନ୍ତରାଳ ରାସ୍ତା ତିଆରି ଯୋଜନା କାର୍ଯ୍ୟକାରୀ ହେଉଛି । ପର୍ଯ୍ୟାୟକ୍ରମେ ଏଥିପାଇଁ ଟେଣ୍ଡର ଆହ୍ୱାନ କରି କାମ ଚାଲିଛି । କିନ୍ତୁ ଜବରଦଖଲ ଓ ଜଙ୍ଗଲ ଜମି କିସମ ପରିବର୍ତ୍ତନରେ ବିଳମ୍ବ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ବିଳମ୍ବିତ ହେଉଛି। ଏଥିପାଇଁ ଏହି ରାସ୍ତାରେ ଦୁଇ ଫ୍ଲାଏଓଭର କରିବାକୁ ଅଣ୍ଟା ଭିଡିଛି ପୂର୍ତ୍ତ ବିଭାଗ ।

କଳିଙ୍ଗ ହସ୍ପିଟାଲ ଛକ ପୂର୍ବରୁ ଥିବା ଫରଚ୍ୟୁନ୍‌ ଟାୱାର ପାଖରୁ ପ୍ରଥମ ଫ୍ଲାଏଓଭର ଆରମ୍ଭ ହେବ । କଳିଙ୍ଗ ହସ୍ପିଟାଲ ଛକ ଡେଇଁ ଏହା ରେଲ୍‌ବିହାର ଯାଏ ଯିବ । ଏହି ଫ୍ଲାଏଓଭରର ଲମ୍ବା ପ୍ରାୟ ୬୦୦ମିଟର ହେବ । ପ୍ରକଳ୍ପ ପାଇଁ ପ୍ରାୟ ୪୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ସେହିଭଳି ଡମଣା ଛକ ପାଖରୁ ଆଉ ଏକ ଫ୍ଲାଏଓଭର ତିଆରି ହେବ । ଚନ୍ଦ୍ରଖେଶରପୁର ଥାନା ଛକର କ୍ଲବଟାଉନ୍‌ ଆପାର୍ଟମେଣ୍ଟ ଯାଏ ଏହା ଲମ୍ବିବ । ଏହି ଦ୍ୱିତୀୟ ଫ୍ଲାଏଓଭରର ଦୂରତା ପ୍ରାୟ ୭୫୦ ମିଟର ପର୍ଯ୍ୟନ୍ତ ରହିବ ।

ପ୍ରକଳ୍ପରେ ୪୫କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ରହିଛି । ଉଭୟ ଫ୍ଲାଏଓଭର ତିଆରି ହେଲେ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବହୁମାତ୍ରାରେ କମିଯିବ ବୋଲି ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ଏହି ପ୍ରକଳ୍ପର ଫିଜିବଲିଟି ଅନୁଧ୍ୟାନ ପରେ ପ୍ରକଳ୍ପ ନିର୍ମାଣ ପାଇଁ ଚୂଡ଼ାନ୍ତ ଅନୁମୋଦନ ଦିଆଯିବବୋଲି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ନନ୍ଦନକାନନ ରାସ୍ତାର ଦୁଇ ପାଶ୍ୱର୍ରେ ରାଇଟ୍‌ ପାରାଲାଲ ରୋଡ୍‌ ଓ ଲେଫ୍ଟ ପାରାଲାଲ ରୋଡ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସୈନିକ ସ୍କୁଲ ପାଖରୁ ୬ଟି ପର୍ଯ୍ୟାୟରେ ରାଇଟ୍‌ ପାରାଲାଲ ରୋଡ୍‌ ତିଆରି ହେଉଛି । ସେପଟେ ସିଆର୍‌ପି ଛକରୁ ସାଲିଆ ସାହି ଦେଇ ପଥରଗାଡ଼ିଆ ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରୋଡ୍‌ ତିଆରି ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।