Odia News Portal

ରାସ୍ତାରେ ଧାରଣା ଦେଲେ ରାହୁଲ ଗାନ୍ଧୀ ଓ ବିରୋଧୀ ସାଂସଦ

ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କ ଇସ୍ତଫା ଦାବିରେ ସଂସଦ ଭବନରୁ ନିର୍ବାଚନ କମିଶନ ମୁଖ୍ୟାଳୟ ଅଭିମୁଖେ ବାହାରିଥିବା ”ଇଣ୍ଡିଆ” ମେଣ୍ଟର ”ସେଭ୍ ଡେମୋକ୍ରାସି” ମାର୍ଚ୍ଚକୁ ମଙ୍ଗଳବାର ଦିନ ସୁରକ୍ଷାକର୍ମୀମାନେ ନୀତି ଆୟୋଗ ଭବନ ସାମ୍ନାରେ ଅଟକାଇଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଙ୍କ ସମେତ ବହୁ ସାଂସଦ ନିର୍ବାଚନ ସଦନ ଆଡ଼କୁ ଯିବାରୁ ବଞ୍ଚିତ ହେବା ପରେ ପାର୍ଲିଆମେଣ୍ଟ ଷ୍ଟ୍ରିଟରେ ରାସ୍ତା ଉପରେ ହିଁ ଧାରଣାରେ ବସିରହିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସଂସଦର ମକର ଦ୍ୱାରରୁ ବାହାରିଥିବା ଏହି ଶୋଭାଯାତ୍ରାକୁ ରୋକିବା ପାଇଁ ବିଏସଏଫ୍ ଓ ସିଆଇଏସଏଫ୍ ପରି ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇ ବାରିକେଡ୍ ଲଗାଯାଇଥିଲା। ସିପିଆଇ ସାଂସଦ ପି ସନ୍ଦୋଷ କୁମାର, ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ଅଭିଯୋଗ କରିଛନ୍ତି ଯେ ଫର୍ମ-୬ ଉପରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ନିର୍ବାଚନ କମିଶନଙ୍କ ମିଥ୍ୟା ଦାବିର ପରଦାଫାଶ ହୋଇଛି ଏବଂ ନୈତିକତା ଦୃଷ୍ଟିରୁ ସିଇସି ଜ୍ଞାନେଶ କୁମାରଙ୍କର ନିଜ ପଦବୀରେ ରହିବାର କୌଣସି ଅଧିକାର ନାହିଁ।