Odia News Portal

ଦଳ ପରିତ୍ୟକ୍ତ ନୂଆ ଦଳ ସନ୍ଧାନରେ

ଭୁବନେଶ୍ବର () ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଏଥିସହିତ ଦିଲ୍ଲୀପ ରାୟ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି । ତାଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିବା ସହ ରାଉଲକେଲା ଆସନଟି ଖାଲି ପଡିବା ସଂପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରିଛନ୍ତି ।

ଇସ୍ତଫା ଦେବା ପରେ ଦିଲ୍ଲୀପ ରାୟ 15 ଦିନ ପାଇଁ ବିଦେଶ ଗସ୍ତରେ ଯାଇଛନ୍ତି । ବିଜୟ ଓ ଦିଲ୍ଲୀପ ମିଳିତ ଭାବେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏ ସଂପର୍କରେ ଉଭୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସେମାନଙ୍କ ଇସ୍ତଫାପତ୍ର ପଠାଇଛନ୍ତି । ଏହି ଦୁଇନେତା ମିଳିତ ଭାବେ ଦେଇଥିବା ଇସ୍ତଫାପତ୍ରରେ ତାଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ନେଇ ସେମାନେ ପୂର୍ବରୁ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଜଣାଇଥିବା ମଧ୍ୟ କହିଛନ୍ତି ।

10 ବର୍ଷ ପୂର୍ବେ ଯେଉଁ ଦଳ ଏହି ଦୁଇ ନେତାଙ୍କୁ ଏକ ରାଜନୈତିକ ପ୍ଲାଟଫର୍ମ ଦେଇଥିଲା, ସେହି ଦଲ ଏବେ ରାଜ୍ୟର ସ୍ବାର୍ଥ ସହ ନାହିଁ ବୋଲି  କହିଛନ୍ତି ବିଜୟ । ଏପରିକି ଏହି ଜାତୀୟ ଦଳରେ ଯୋଗ ଦେବା ତାଙ୍କର ଏକ ତରବରିଆ ଏବଂ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି । ବିଜେପି ନେତାମାନେ ଏହି ନେତାଙ୍କ ଇସ୍ତଫା ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ବିଜୟ ଓ ଦିଲ୍ଲୀପଙ୍କୁ ଦଳ-ଦ୍ରୋହୀ ବୋଲି କହିଛନ୍ତି ।

ବିଜେପୁର ଉପନିର୍ବାଚନରେ ଦଳର ବିଫଳତା ପାଇଁ ସେ ଜଣେ ବରିଷ୍ଠ ନେତାଙ୍କୁ ଇଙ୍ଗିତ କରି ଦାୟୀ କରୁଥିବା ବେଳେ କନ୍ଧମାଳ ଉପନିର୍ବାଚନର ବିଫଳତା ପାଇଁ କାହାକୁ ଦାୟୀ କରାଯିବ ବୋଲି ଜଣେ ବିଜେପି ନେତା ପ୍ରଶ୍ନ କରିଛନ୍ତି । କାରଣ କନ୍ଧମାଳ ଉପନିର୍ବାଚନର ପୂରା ଦାୟିତ୍ବ ନିଜେ ବିଜୟ ମହାପାତ୍ର ମୁଣ୍ଡାଇଥିଲେ । କନ୍ଧମାଳରେ ଦିନ ଦିନ ଧରି କ୍ୟାମ୍ପ କରିଥିଲେ । ପୂର୍ବତନ ସାଂସଦ ରୁଦ୍ରମାଧବ ରାୟଙ୍କୁ ବିଜେପିରେ ମିଶାଇ କନ୍ଧମାଳରୁ ପ୍ରାର୍ଥୀ ବି ବିଜୟ କରାଇଥିଲେ । ରାଜନୀତିରେ ପଟ୍ଟୁତା ଥିବା ଦାବି କରୁଥିବା ବିଜୟ ନିଜେ କାହିଁକି 2014ରେ ମହାକାଳପଡାରୁ ହାରିଗଲେ ବୋଲି ଜଣେ ବିଜେପି ନେତା ଅନୌପଚାରିକ ଭାବେ ପ୍ରଶ୍ନ କରିଛନ୍ତି ।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ବିଜୟଙ୍କ ଜିନରେ ରହିଛି ସେ ଯେଉଁ ଦଳରେ ରହିବେ ତାକୁ ଭାଙ୍ଗିବେ । ଦିଲ୍ଲୀପ ରାୟ ସେହିଭଳି ପ୍ରଧାନମନ୍ତ୍ରୀଙ୍କ ହାଓ୍ବାରେ ନିର୍ବାଚନ ଜିତିଥିଲେ ବି କେବେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବାର ନଜିର ନାହିଁ ।

ବିଜେପି ଭଳି ଜାତୀୟ ଦଳ ଛାଡି ଏବେ ଏହି ଦୁଇ ନେତା କେଉଁ ଦଳରେ ମିଶିବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ଦୁଇ ନେତା ରାଜନୀତିରେ ନିଜ କ୍ରେଜ ହରାଇସାରିଲେଣି । ତାଙ୍କ ଜମାନାର ରାଜନୀତି ଆଉ ଓଡିଶାରେ କାମ ଦେଉନି । ଏହି ଦୃଷ୍ଟିରୁ ତାଙ୍କୁ ନିଜ ସହ ସାମିଲ କରିବାକୁ ମଧ୍ୟ କୌଣସି ପ୍ରତିଷ୍ଠିତ ଦଳ ଏତେଟା ଆଗ୍ରହୀ ନୁହଁନ୍ତି । ତେଣୁ ଏହି ଦୁଇ ପୁରୁଣା ବନ୍ଧୁ ଏବେ ନିଜର ରାଜନୈତିକ ଭବିଷ୍ୟତ ପାଇଁ ନୂଆ ଦଳ ସନ୍ଧାନରେ ଅଛନ୍ତି ।