Odia News Portal

ସାଇନା ନେହୱାଲଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍ କରୋନାରେ ସଂକ୍ରମିତ । ସାଇନା ନେହୱାଲ୍ ବର୍ତ୍ତମାନ ୟୋନେକ୍ସ ଥାଇଲାଣ୍ଡ ଓପନ ସୁପର ୧୦୦୦ ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଯାଉଥିଲେ। ଏହି ଟୁର୍ନାମେଣ୍ଟ ଜାନୁଆରୀ ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। କିନ୍ତୁ ଏବେ ସାଇନା ନେହୱାଲ ଏହି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିପାରିବେ ନାହିଁ |

ଏହାପୂର୍ବରୁ ବ୍ୟାଙ୍କକକ୍ ରେ ହେବାକୁ ଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଲଗାଯାଇଥିବା କରୋନା କଟକଣାକୁ ନେଇ ଆପତ୍ତି ଉଠାଇଥିଲେ ସାଇନା । ଯାହାକୁ ନେଇ ଟ୍ୱିଟ୍ କରିଥିଲେ ସାଇନା । ତାଙ୍କ ଟ୍ରେନର ଓ ଫିଜିଓଙ୍କୁ ଭେଟିବାକୁ ଅନୁମତି ନ ଦେବାରୁ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘକୁ କଟାକ୍ଷ କରିଥିଲେ ସାଇନା । ସପୋର୍ଟ ଷ୍ଟାଫଙ୍କୁ ଅନୁମତି ମିଳିବନି ବୋଲି ଏ ବାବଦରେ ପୂର୍ବରୁ ଅବଗତ କରିବାର ଆବଶ୍ୟକତା ଥିଲା ବୋଲି କହିଥିଲେ ସାଇନା । ଟ୍ୱିଟ୍ କରି ସେ କହିଥିଲେ, “ଯାଞ୍ଚରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ୱେ ଫିଜିଓଥେରାପିଷ୍ଟ ଓ ପ୍ରଶିକ୍ଷକ ଆମ ପାଖକୁ ଆସୁନାହାନ୍ତି। ଆମେ ୪ ସପ୍ତାହ ଯାଏଁ ନିଜକୁ କିଭଳି ଫିଟ୍ ରଖିବୁ। ଆମେ ଭଲ ସ୍ଥିତିରେ ଟୁର୍ନାମେଣ୍ଟ ଖେଳିବାକୁ ଚାହୁଁଛୁ। ଦୟାକରି ଏହାର କିଛି ସମାଧାନ ବାହାର କରନ୍ତୁ।”

ସୂଚନା ଅନୁଯାୟୀ, ସାଇନା ଦ୍ୱିତୀୟଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାତ୍ର ସପ୍ତାହେ ପୂର୍ବରୁ ସେ କରୋନାରୁ ସୁସ୍ଥ ହୋଇଥିଲେ। ସୋମବାର ଦିନ ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପୁଣି ପଜିଟିଭ ଆସିବା ପରେ ତାଙ୍କୁ ଟୁର୍ନାମେଣ୍ଟରୁ ବାହାର କରାଯାଇଛି। ରିପୋର୍ଟ ପଜିଟିଭ ଆସିବା ପରେ ସାଇନାଙ୍କୁ ହସ୍ପିଟାଲରେ କ୍ଵାରେଣ୍ଟାଇନ ହେବାକୁ କୁହାଯାଇଥିଲା।