Odia News Portal

କାଲି ଦିନିକିଆ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ, ବିଜୁ ଯୁବ ବାହିନୀର ସମାବେଶ ଓ ୨୫୦କେଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଏବଂ ୬୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶୁକ୍ରବାରଦିନ ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଯୁବ ବିକାଶ କାର୍ଯ୍ୟକ୍ରମରେ ଯୋଗଦେବା ସହ,ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ସମ୍ବଲପୁରରେ ଗତ ୫ମାସ ହେଲା, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ, ଓକିଲମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୋଲିସ୍‌ ଓ ଜିଲ୍ଲାପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି ଆସନ୍ତା ଶୁକ୍ରବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତରେ ଆସି, ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ବିଜୁ ଯୁବବାହିନୀର ଯୁବ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହାକୁ ରିଜିଓନାଲ୍‌ ୟୁଥ୍‌ କନ୍‌କ୍ଲେଭ ନାମ ଦିଆଯିବା ସହ, ୬ଟି ଜିଲ୍ଲାର ପ୍ରାୟ ୩ହଜାରରୁ ଅଧିକ ଯୁବକଯୁବତୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମହାନଦୀ ଉପରେ ନିର୍ମିତ ଦ୍ବିତୀୟ ପୋଲର ଉଦ୍‌ଘାଟନ କରିବା ସହ, ହୀରାକୁଦରେ ନିର୍ମିତ ରୋପ-ୱେର ମଧ୍ୟ ଉଦ୍‌ଘାଟନ କରିବେ। ମୋଟ ୨ଶହ୫୦କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିବା ସହ, ୬ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର,ରେଙ୍ଗାଲି ଓ ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ହିଁ କରାଯିବାକୁ ସ୍ଥିର କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତ

ସମ୍ବଲପୁର ବିଜେଡିରେ ଗତ କିଛି ମାସ ହେଲା, ୩ଟି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସେଗୁଡିକ ମଧ୍ୟରେ ତାଳି ପକାଇବାକୁ ଉଦ୍ୟମ କରାଯିବ ବୋଲି ଆଶା କରାଯାଇଛି। ଏହା ସହ, ନିର୍ବାଚନ ଆଉମାତ୍ର ଦୁଇମାସ ବାକି ଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଯୋଗୁ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବାର୍ତ୍ତା ଦେବେ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ କରାଯାଇଛି।