Odia News Portal

ଯୁକ୍ତ ୨ ପରୀକ୍ଷା ବାତିଲ ପରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ଭୟାବହତାକୁ ନେଇ ଗତକାଲି ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ତେବେ ପରୀକ୍ଷା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତ୍ରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୧୫ ଦିନ ମଧ୍ୟରେ ବିଶେଷଜ୍ଞ କମିଟି ଗଠନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି ଗଠନ କରାଯିବ । ସିବିଏସଇ ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ । ଏହା ପରେ ନିଷ୍ପତ୍ତି ହେବ ଯେ କେଉଁ ଆଧାରରେ ମାର୍କ ଦିଆଯିବ ଓ ଫଳ ପ୍ରକାଶ କରାଯିବ । ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେଉଁ ସମୟରେ ବାହାରିବ ସେହି ସମୟରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଦିଆଯାଉଛି ଗୁରୁତ୍ୱ ।

ସରକାର ପରୀକ୍ଷା ବାତିଲ କରିବା ସହିତ ବିଶେଷଜ୍ଞ କମିଟିର ପରାମର୍ଶ ଅନୁଯାୟୀ ମୂଲ୍ୟାୟନ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ଯେଉଁ ଛାତ୍ରଛାତ୍ରୀ ସେମାନଙ୍କ ମୂଲ୍ୟାୟନରେ ଅସନ୍ତୁଷ୍ଟ ହେବେ, ସେମାନେ ପରୀକ୍ଷା ଦେଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କରୋନା ସ୍ଥିତି ସୁଧୁରିବା ପରେ ସେମାନେ ପରୀକ୍ଷା ଦେଇପାରିବେ। ପରିସ୍ଥିତିକୁ ଦେଖି କେବେ ପରୀକ୍ଷା କରାଯିବ, ତାହା ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ସ୍ଥିର କରିବେ।