Odia News Portal

ଯୋଗାଣ ବିଭାଗ ଯୋଗାଉନି ସଚେତନତା ଅର୍ଥ, ଛଟପଟ ଯୋଗାଣ ବାବୁ

ଭୁବନେଶ୍ୱର : ସରକାରଙ୍କ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ଜିଲ୍ଲା ସ୍ତରର ଯୋଗାଣ ଅଧିକାରୀମାନେ ପଛଘୁଞ୍ଚା ଦେଲେଣି । କାରଣ ହେଉଛି ସଚେତନତା କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ଯେଉଁ ପରିମାଣର ନିର୍ଦ୍ଦେଶ ଦିଆଯାଉଛି ସେହି ଅନୁଯାୟୀ ଅର୍ଥ ଦିଆଯାଉ ନାହିଁ । ବର୍ଷ ବର୍ଷ ଧରି ବାକିଆ ଅର୍ଥ ଗଡିବାରେ ଲାଗିଛି । ଏଭଳି ସ୍ଥିତିରେ ନିଜେ ସଚେତନ ହୋଇ କିଭଳି ବାକି ଟଙ୍କା ପାଇବେ ସେଥିପାଇଁ ଏବେ କିଛି ଅଧିକାରୀ ଲାଗି ପଡିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟଙ୍କିକିଆ ଚାଉଳ, ଗହମ ଯୋଗାଣ ଠାରୁ ଆରମ୍ଭ କରି ଧାନ ଓ ଅନ୍ୟାନ୍ୟ ଶସ୍ୟ ସଂଗ୍ରହ ସଂକ୍ରାନ୍ତରେ ବର୍ଷ ସାରା ଲୋକଙ୍କୁ ସଚେତନ କରିବାକୁ ପଡୁଛି । କେବେ ଟୋକନ ମିଳିବ, କେବେ ସୁଦ୍ଧା ମଣ୍ଡିକୁ ଧାନ ଆସିବ, କେବେ ସୁଦ୍ଧା ସଂଗ୍ରହ ସରିବ ସେ ସବୁ ସଂକ୍ରାନ୍ତରେ ସାଧାରଣ ଲୋକେ ସଚେତନ ନହେଲେ ସରକାରଙ୍କ ଉପରେ ରାଗ ଶୁଝାଉଛନ୍ତି । ତେଣୁ ସାଧାରଣ ଲୋକେ ଓ ଚାଷୀମାନେ ଯେମିତି ପୂରା ସଚେତନ ହେବେ ସେଥିପାଇଁ ଲିଫଲେଟ୍‌, ବ୍ୟାନର ଠାରୁ ଆରମ୍ଭ କରି ପୋଷ୍ଟର ଓ ଅନ୍ୟାନ୍ୟ ପ୍ରଚାର ସାମଗ୍ରୀ ପ୍ରସ୍ତୁତ ପାଇଁ କୁହାଯାଉଛି ।

ସରକାରଙ୍କ ନିର୍ଦ୍ଦେଶ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀମାନେ ଏ ଦିଗରେ ଲାଗି ପଡୁଛନ୍ତି । ରବି ଓ ଖରିଫ ଋତୁ ପୂର୍ବରୁ ପ୍ରଚାର ପ୍ରସାର ଯେଭଳି ଜୋରଦାର ହେବ ସେଥିପାଇଁ ଅଣ୍ଟା ଭିଡୁଛନ୍ତି । ତେବେ ବିଡମ୍ବନାର କଥା ହେଉଛି ପ୍ରଚାର ପ୍ରସାର ସାମଗ୍ରୀ ପାଇଁ ସେମାନଙ୍କୁ ଠିକଣା ଭାବେ ଅର୍ଥ ଦିଆଯାଉ ନାହିଁ । ୬୦ ହଜାର ଟଙ୍କା ଖର୍ଚ୍ଚ କଲେ ମିଳୁଛି ୪୦ ହଜାର ହଜାର । ବାକିଆ ଟଙ୍କା ମାଗିଲେ ପରେ ଦିଆଯିବ ବୋଲି କୁହାଯାଉଛି । ଏହିଭଳି ଭାବେ ବର୍ଷ ପରେ ବର୍ଷ ବାକିଆ ଟଙ୍କା ଗଡିବାରେ ଲାଗିଛି । ତେଣେ ଯେଉଁ ସଂସ୍ଥା ବା ବ୍ୟକ୍ତି ବିଶେଷ ପ୍ରଚାର ପ୍ରସାର ସାମଗ୍ରୀ ଯୋଗାଉଛନ୍ତି ସେମାନେ ଆସି ଯୋଗାଣ ବାବୁଙ୍କ ଘରେ ପଇସା ପାଇଁ ବସୁଛନ୍ତି । ସରକାରଙ୍କ ଠାରୁ ପଇସା ମିଳିବାରେ ବିଳମ୍ବ ହେଉଥିବାରୁ କିଛି ବାବୁ ତ ନିଜ ପକେଟରୁ ଟଙ୍କା ଗଣିବାକୁ ବାଧ୍ୟ ହେଉଛନ୍ତି ।

ତେବେ ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବାବେଳେ ଟଙ୍କା ଛାଡିବାକୁ କାହିଁକି ବିଭାଗ ଏଭଳି କୁନ୍ଥୁ କୁନ୍ଥୁ ହେଉଛି ତାହାର ଟେର ଜିଲ୍ଲା ସ୍ତରର ବାବୁମାନେ ପାଉନାହାନ୍ତି । ଫୁରସତ ମିଳିଲେ ଟଙ୍କା ମାଗୁଛନ୍ତି । କିଛି ବାବୁ ବିଶ୍ୱାସ କରୁଛନ୍ତି ଯେ ବିଭାଗରେ ଥିବା କିଛି ପୁରୁଣା ମୂଷା ଯେଉଁମାନେ କି ବର୍ଷ ବର୍ଷ ଧରି ବିଭାଗ ଛାଡୁନାହାନ୍ତି କିମ୍ବା ବିଭାଗ ସମାନଙ୍କୁ ଛାଡୁନାହିଁ ସେମାନେ ଏହି ଟଙ୍କାକୁ ଚଳୁ କରିଦେଉଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲା ସ୍ତରର ଲୋକଙ୍କୁ କିଭଳି ସଚେତନ କରାଯିବ ତାହା ଚିନ୍ତାର କାରଣ ହେଲାଣି । ଲୋକେ ସଚେତନ ହୁଅନ୍ତୁ କି ନହୁଅନ୍ତୁ ବର୍ଷ ବର୍ଷ ଧରି ବିଭାଗ ଠାରୁ ପଇସା ନପାଇ ହଇରାଣ ହରକତ ହେଉଥିବା ଜିଲ୍ଲାର ସ୍ତରର ଯୋଗାଣ ବାବୁମାନେ କିନ୍ତୁ ସଚେତନ ହେଲେଣି । ଏଣିକି ଯେତିକି ଚୂନା ସେତିକି ପିଠା ହେବବୋଲି ରୋକଠୋକ ଶୁଣାଇଲେଣି । ତେବେ ଏ ନେଇ ସାଧାରଣରେ ପ୍ରଶ୍ନ ହେଲା ଯେ ବିଭାଗ ଯଦି ପଇସା ଦେବାରେ ଏଭଳି ବିଳମ୍ବ କରୁଥାଏ ତେବେ ତଳ ସ୍ତରର ବାବୁଙ୍କୁ ଦୁର୍ନୀତି ପାଇଁ ଏହା ଏକ ପ୍ରକାର ପ୍ରୋତ୍ସାହନ । ତେଣୁ ଉପରିସ୍ଥ ଅଧିକାରୀମାନେ ଏ ଦିଗରେ ତୁରନ୍ତ ଦୃଷ୍ଟିଦେବା ଆବଶ୍ୟକ ।