Odia News Portal

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍

ଆସନ୍ତା ୨୨ରେ ଶ୍ରୀମନ୍ଦିର ଆସିବେ ମହାମହିମ ରାଷ୍ଟ୍ରପତି

ପୁରୀ: ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆଜି ଶ୍ରୀମନ୍ଦିର ଚାରିପଟ ଓ ଶ୍ରୀମନ୍ଦିର ଭିତରର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ପୁରୀ ଏସପି । ଆସନ୍ତା ୨୨ ତାରିଖ ଦିନ ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଆସି ଦର୍ଶନ କରିବା ସ୍ଥିର ହୋଇଛି ।

ରାଷ୍ଟ୍ରପତି ରତ୍ନ ସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତିଙ୍କ ସାଙ୍ଗରେ ଯିବାକୁ ଥିବା ସମସ୍ତ ଅନୁଗାମୀ, ଅଧିକାରୀ ଓ ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ । କେବଳ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତ ଓ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ସହିତ ଯାଇ ଦର୍ଶନ କରିବାକୁ ଦିଆଯିବ ବୋଲି କୁହାଯାଇଛି । ୨୦୧୮ ମସିହା ମାର୍ଚ୍ଚ ୧୮ ତାରିଖରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହା ତାଙ୍କର ଦ୍ୱିତୀୟ ଗସ୍ତ ରହିବ । ଆଜିର ସୁରକ୍ଷା ବ୍ୟବସ୍ଥା ତଦାରଖ ସମୟରେ ସମସ୍ତ ଥାନା ଅଧିକାରୀ ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଉପସ୍ଥିତ ରହିଥିଲେ ।