୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ୭ ଦେଶ ଦାବିଦାର। ଏହି ତାଲିକାରେ ଭାରତ ସମେତ ଜର୍ମାନୀ, ହଙ୍ଗେରୀ, କାତାର, ରିପବ୍ଲିକ୍ ଅଫ୍ କୋରିଆ, ଦକ୍ଷିଣ ଆଫ୍ରିକା ଓ ତୁର୍କୀ ସାମିଲ ଅଛନ୍ତି।୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଥିବା ଏହି ୭ଟି ଦେଶର ନାମକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି, ଅର୍ଥାତ୍ ଆଇଓସିର କାର୍ଯ୍ୟନିର୍ବାହୀ ପରିଷଦ ଗ୍ରହଣ କରିଛି। ଆସନ୍ତା ନଭେମ୍ବରରେ ଏହି ଦେଶଗୁଡ଼ିକ ନିଜ ନିଜର ଅଲିମ୍ପିକ୍ସ ଆୟୋଜନ ପ୍ରକଳ୍ପକୁ ଫ୍ୟୁଚର ହୋଷ୍ଟ କମିଶନ୍ ନିକଟରେ ଉପସ୍ଥାପନ କରିବେ।
ଆଇଓସି ପକ୍ଷରୁ କୁହାଯାଇଛି ଯେ, ଆୟୋଜନ ପାଇଁ ଦାଖଲ ହେଉଥିବା ପ୍ରକଳ୍ପଗୁଡ଼ିକର ବିଭିନ୍ନ ଦିଗକୁ ମୂଲ୍ୟାୟନ କରାଯିବ। ଏଥିରେ ଭେନ୍ୟୁ ମାଷ୍ଟରପ୍ଲାନ୍, ଆଥଲେଟ୍ମାନଙ୍କ ଅଭିଜ୍ଞତା, ପାଣ୍ଠି ରଣନୀତି, ରାଜନୈତିକ ଓ ସାଧାରଣ ସମର୍ଥନ, ଖେଳ ପରିଚାଳନା କ୍ଷମତା ସହ ଆୟୋଜକ ଦେଶ ପାଇଁ ଦୀର୍ଘମିଆଦି ଲାଭ ନିଶ୍ଚିତ କରିବାର ରଣନୀତିକୁ ମଧ୍ୟ ବିଚାରକୁ ନିଆଯିବ। ଅଲିମ୍ପିକ୍ସ ଆୟୋଜନ ପାଇଁ ଆଗ୍ରହୀ ଦେଶଗୁଡ଼ିକ ବର୍ତ୍ତମାନ ଆଇଓସି ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ତେବେ ଅକ୍ଟୋବର ୩୧ ପରେ ଯେକୌଣସି ନୂଆ ଦେଶ ଆଗ୍ରହ ପ୍ରକାଶ କଲେ, ତାହାକୁ ଆଉ ବିଚାରକୁ ନିଆଯିବ ନାହିଁ।
ଆସନ୍ତା ୨୦୨୭ ଜୁନ୍ରେ ଲୋଜାନ୍ରେ ହେବାକୁ ଥିବା ଆଇଓସିର ୧୪୬ତମ ଅଧିବେଶନରେ ୨୦୩୬ ଅଲିମ୍ପିକ୍ସର ଚୂଡ଼ାନ୍ତ ଆୟୋଜକ ଦେଶର ନାମ ଘୋଷଣା କରାଯିବ। ଭାରତୀୟ ଅଲିମ୍ପିକ୍ ସଂଘ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ୨୦୨୪ ମସିହାରେ ଆଗ୍ରହ ପ୍ରକାଶ କରିଥିଲା। ତେବେ କ୍ରିଷ୍ଟି କୋଭେଣ୍ଟ୍ରି ଆଇଓସିର ନୂଆ ସଭାପତି ହେବା ପରେ ପୂର୍ବରୁ ଚାଲିଥିବା ମନୋନୟନ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। ପ୍ରକ୍ରିୟାକୁ ଆହୁରି ସୁଗମ ଓ ସ୍ୱଚ୍ଛ କରିବା ପାଇଁ ଦାବିଦାର ଦେଶଗୁଡ଼ିକୁ ନୂଆ ପ୍ରସ୍ତାବ ଓ ମତାମତ ଦାଖଲ କରିବାକୁ କୁହାଯାଇଛି। ଏବେ ନଜର ରହିଛି—୨୦୩୬ର କ୍ରୀଡ଼ା ମହାକୁମ୍ଭ ଆୟୋଜନର ଗୌରବ କେଉଁ ଦେଶ ହାସଲ କରିବ?
