Odia News Portal

ଗର୍ଜିଲା ସ ଓ ଶିଖରଙ୍କ ବ୍ୟାଟ୍, ଜିତିଲା ଦିଲ୍ଲୀ

ଚେନ୍ନାଇ : ଚମକିଲା ପୃଥ୍ଵୀ ସ ଓ ଶିଖର ଧାଓ୍ଵନଙ୍କ ବ୍ୟାଟ୍ । ଦୁଇ ବ୍ୟାଟସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସକୁ ସହଜରେ ୭ ଓ୍ଵିକେଟ୍‌ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଗତ ସିଜିନରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ମ୍ୟାଚରେ ବୋଲିଂରେ ଫେଲ୍ ହୋଇ ପରାଜୟବରଣ କରିଛି । ବଡ ସ୍କୋର କରିବାରେ ବିଫଳତା ଦଳ ପାଇଁ ପରାଜୟର କାରଣ ହୋଇଛି ।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁରୈଶ ରୈନା(୫୪), ସାମ କରନ(୩୪) ଓ ମୋଇନ ଅଲ୍ଲୀ(୩୬) ଜରିଆରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଜବାବରେ ଶିଖର ଧାଓ୍ଵନଙ୍କ ୮୪ ଓ ପୃଥ୍ଵୀ ସଙ୍କ ୭୨ ରନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୩ ଓ୍ଵିକେଟ୍ ହରାଇ ୧୮. ୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସ ଓ ଧାଓ୍ଵନ ପ୍ରଥମ ଓ୍ଵିକେଟ୍‌ରେ ୧୩୮ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି।

୧୮୯ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇ ଓପନର ପୃଥ୍ଵୀ ସ ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଓଭର ପିଛା ୧୦ ହାରରେ ରନ ସଂଗ୍ରହ କରିଥିଲେ। ଶିଖର ଓ ସ ଚେନ୍ନାଇ ବୋଲରଙ୍କୁ ନିର୍ଘାତ ପ୍ରହାର କରି କୌଣସି ସୁଯୋଗ ଦେଇନଥିଲେ। ଉଭୟଙ୍କୁ ଆଉଟ୍ କରିବାକୁ ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସବୁ ଯୋଜନା ଫେଲ୍ ମାରିଥିଲା। ପୃଥ୍ଵୀ ଧୂଆଁଧାର ବ୍ୟାଟିଂ କରି ୨୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଶିଖର ମଧ୍ୟ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଯୋଡିକୁ ଭାଙ୍ଗିବାକୁ ଚେନ୍ନାଇକୁ ନାକେଦମ ହେବାକୁ ପଡିଥିଲା। ଶେଷରେ ୧୩.୩ ଓଭରରେ ଡ୍ଵେନ ବ୍ରାଭୋଙ୍କୁ ବଡ ସଟ୍ ଖେଳିବାକୁ ଯାଇ ପୃଥ୍ଵୀ ସ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସ ଓ ଧାଓ୍ଵନ ପ୍ରଥମ ଓଭରରେ ୧୩୮ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ସେ ୩୮ ବଲ୍‌ରୁ ୯ଚୌକା ଓ ୩ ଛକା ଜରିଆରେ ୭୨ ରନର ଦମଦାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ।

ଦଳ ବିଜୟରେ ବାକି ଔପଚାରିକତା ପୂରଣ କରିଥିଲେ ଶିଖର ଧାଓ୍ଵନ ଓ ଋଷଭ ପନ୍ତ। ଧାଓ୍ଵନ ନିଜର ଦ୍ରୁତ ବ୍ୟାଟିଂ ଜାରି ରଖି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଶିଖର ଧାଓ୍ଵନଙ୍କୁ ଶାର୍ଦ୍ଦୁଳ ଆଉଟ୍ କରିବା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଧାଓ୍ଵନ ୫୪ ବଲ୍‌ରୁ ୧୦ ଚୌକା ଓ ୨ ଛକା ସହ ୮୫ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ଆଉଟ୍ଥି ଲେ। ଧାଓ୍ଵନ ଓ ସଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଶତକୀୟ ଭାଗିଦାରୀ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୪ ଓଭରରେ ୩ ଓ୍ଵିକେଟ୍ ହରାଇ ୧୮୯ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମାର୍କୋସ ଷ୍ଟୋଇନିସ ୧୪ ରନ କରି ଆଉଟ୍ ହୋଇଥିଲେ। ଋଷଭ ପନ୍ତ ୧୫ ରନ କରି ଅପରାଜିତ ଥିଲେ।ଚେନ୍ନାଇ ପକ୍ଷରୁ ଡ୍ଵେନ ବ୍ରାଭୋଙ୍କୁ ବାଦ୍‌ ଦେଲେ ବାକି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ବ୍ରାଭୋଙ୍କୁ ଗୋଟିଏ ସଫଳତା ମିଳିଥିବା ବେଳେ ଶାର୍ଦ୍ଦୁଳ ଠାକୁର ଦୁଇଟି ଓ୍ଵିକେଟ୍ ନେଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଆରମ୍ଭ ନୈରାଶ୍ୟଜନକ ଥିଲା। ୭ ରନ ସ୍କୋରରେ ଦଳ ଦୁଇ ଓପନର ଫାଫ ଡୁପ୍ଲେସିସ୍‌(୦) ଓ ଋତୁରାଜ ଗାଏକୋଓ୍ଵାଡ(୫)ଙ୍କ ଓ୍ଵିକେଟ୍ ହରାଇଥିଲ। ଏହା ପରେ ଦୀର୍ଘ ଦିନ ପରେ ପଡିଆକୁ ଫେରିଥିବା ସୁରେଶ ରୈନା ଓ ମୋଇନ ଅଲ୍ଲୀ ଦ୍ରୁତ ବ୍ୟାଟିଂ କରି ଦଳର ସ୍ଥିତି ସୁଧାରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡିଥିଲେ। ମୋଇନ ଅଲ୍ଲୀ ୨୪ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୩୬ ରନ କରି ରବିଚନ୍ଦ୍ରନ ଅଶ୍ଵିନଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ।

ଏହା ପରେ ରୈନା ଅମ୍ବତି ରାୟୁଡୁଙ୍କ ସହ ସ୍କୋରକୁ ୧୦୦ ପାର ପହଞ୍ଚାଇଥିଲେ। ରାୟୁଡୁ ୨୩ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ପ୍ରାୟ ଦୁଇ ବର୍ଷ ପରେ ଆଇପିଏଲ ଖେଳୁଥିବା ସୁରେଶ ରୈନା ଚଳିତ ସିଜିନ୍‌ରେ ପ୍ରଥମ ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୬ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ୫୪ ରନ କରି ରନଆଉଟ୍ ହୋଇଥିଲେ। କିନ୍ତୁ ଏମଏସ ଧୋନୀ କିଛି ଖାସ୍ କରି ପାରିନଥିଲେ। ଧୋନୀ ଖାତା ଖୋଲିବା ପୂର୍ବରୁ ଅଭେଶ ଖାନଙ୍କ ଶିକାର ହୋଇଥିଲେ।

୧୩୭ ରନରେ ଛଅ ଓ୍ଵିକେଟ୍ ହରାଇବା ପରେ ସାମ କରନ ଓ ରବୀନ୍ଦ୍ର ଜାଡେଜା ବିସ୍ପୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟ୍‌ରେ ୫୧ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଖାସ୍ କରି ସାମ କରନ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୫ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୩୪ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ଜାଡେଜା ୧୭ ବଲ୍‌ରୁ ୩ ଚୌକା ସହ ୨୬ ରନ କରି ଅପରାଜିତ ଥିଲେ। ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି।

ଚେନ୍ନାଇ ପକ୍ଷରୁ କ୍ରିସ୍ ଓ୍ଵକ୍ସ ଓ ଅଭେଶ ଖାନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୧ଟି ସଫଳତା ପାଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଟମ କରନଙ୍କୁ ମଧ୍ୟ ଗୋଟିଏ ଓ୍ଵିକେଟ୍ ମିଳିଛି।