Odia News Portal

ଶ୍ରଦ୍ଧା ହତ୍ୟା ମାମଲା:ସିବିଆଇକୁ ତଦନ୍ତ ହସ୍ତାନ୍ତର ନେଇ ଆବେଦନ ଖାରଜ

ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟା ମାମଲାର ତଦନ୍ତ ଦିଲ୍ଲୀ ପୋଲିସରୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରି ଦାୟର ଏକ ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି।

କୋର୍ଟ ମଧ୍ୟ ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇଛନ୍ତି, ଯଦିଓ ଜରିମାନା ରାଶି କେତେ ତାହା ପ୍ରକାଶ କରାଯାଇ ନାହିଁ ।

ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ଏହା ଏକ ପ୍ରଚାର ସର୍ବସ୍ୱ ଆବେଦନ ଏବଂ ଏହି ଆବେଦନରେ କୌଣସି ସଠିକ୍ ଆଧାର ନାହିଁ।

ଯେଉଁଠାରେ ମୃତଦେହର ଖଣ୍ଡ ବିଖଣ୍ଡିତ ଅଂଶ ଉଦ୍ଧାର କରାଯାଇଥିଲା ସେହି ସ୍ଥାନମାନଙ୍କରେ ଗଣମାଧ୍ୟମ ଏବଂ ଲୋକଙ୍କ ଉପସ୍ଥିତି ଯୋଗୁଁ ପ୍ରମାଣ ନଷ୍ଟ ହୋଇଥିଵା ଏହି ପିଟିସନରେ ଦର୍ଶାଯାଇଛି।

ଆବେଦନକାରୀ ଯୁକ୍ତି କରିଥିଲେ ଯେ ଏହି ହତ୍ୟାକାଣ୍ଡର ତଦନ୍ତର ପ୍ରତ୍ୟେକ ପଦକ୍ଷେପରେ ଦିଲ୍ଲୀ ପୋଲିସ ଗଣମାଧ୍ୟମକୁ ପ୍ରତିଟି ତଥ୍ୟ ପ୍ରକାଶ କରିଛି, ଯାହାକି ବେଆଇନ ।

ଦକ୍ଷିଣ ଦିଲ୍ଲୀର ମେହରୌଲି ସ୍ଥିତ ଭଡା ଘରେ ନିଜ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ନଭେମ୍ବର ୧୩ରେ ଆଫତାବଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ପୋଲିସ କହିଥିଲା ଯେ ଆଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ପ୍ରାୟ ୩୬ ଖଣ୍ଡରେ କାଟି ଦେଇଥିଲା । ଯାହାକୁ ସେ ପ୍ରାୟ ୩୦୦ ଲିଟର ଫ୍ରିଜରେ ପ୍ରାୟ ତିନି ସପ୍ତାହ ଧରି ରଖିଥିଲେ ଏବଂ ପରେ ଅନେକ ଦିନ ଧରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ ।

ପୋଲିସ କହିଛି ଯେ ଆର୍ଥିକ ସମସ୍ୟାକୁ ନେଇ ଦିନେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ମେ ୧୮ରେ ପୁଣି ଦୁହିଁଙ୍କ ମଧ୍ୟରେ ଝଗଡ଼ା ପରେ ପୁନାୱାଲା ୨୭ ବର୍ଷୀୟା ଶ୍ରଦ୍ଧା ୱାଲକରଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ।