Odia News Portal

ବିସିସିଆଇ ସଭାପତି ପଦରୁ ଗାଙ୍ଗୁଲିଙ୍କ ହେବ ଛୁଟି

୧୯୮୩ ବିଶ୍ବକପ୍ ବିଜେତା ଦଳର ହିରୋ ରୋଜର ବିନ୍ନି ବିସିସିଆଇ ସଭାପତି ଭାବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବା ନିଶ୍ଚିତ ହୋଇଛି । ଗାଙ୍ଗୁଲି ଗତ ତିନିବର୍ଷ ଧରି ବିସିସିଆଇ ସଭାପତି ରହିଆସିଛନ୍ତି । ଅକ୍ଟୋବର ୧୮ରେ ହେବାକୁ ଥିବା ବୋର୍ଡର ବାର୍ଷିକ ସାଧାରଣ ବୈଠକରେ (ଏଜିଏମ୍) ବିନ୍ନିଙ୍କ ପାଇଁ ଗାଙ୍ଗୁଲି ପଦ ଛାଡ଼ିବେ । ଏକ ସପ୍ତାହ ଧରି ବିଚାର ବିମର୍ଷ ପରେ ବେଙ୍ଗାଲୁରୁର ୬୭ ବର୍ଷୀୟ ବିନ୍ନି ବୋର୍ଡର ୩୬ ତମ ଅଧ୍ୟକ୍ଷ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିସିସିଆଇ ସଚିବ ପଦରେ ରହିବେ । ଏହାଛଡ଼ା ଗାଙ୍ଗୁଲିଙ୍କ ସ୍ଥାନରେ ଶାହ ଆଇସିସି ବୋର୍ଡରେ ବିସିସିଆଇର ପ୍ରତିନିଧିତ୍ଵ କରିବେ । ବିସିସିଆଇ କାର୍ଯ୍ୟାଳୟର ଅଧିକାରୀଙ୍କ ମଧ୍ୟରେ ଏକମାତ୍ର କଂଗ୍ରେସ କର୍ମୀ ରାଜୀବ ଶୁକ୍ଲା ବୋର୍ଡର ଉପାଧ୍ୟକ୍ଷ ଭାବେ ପଦ ବଜାୟ ରଖିବେ । କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନଭାଇ ଅରୁଣ ସିଂ ଧୁମଲ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଚେୟାରମ୍ୟାନ୍ ହେବେ। ସେ ବ୍ରିଜେଶ ପଟେଲଙ୍କ ସ୍ଥାନ ନେବେ।

ମହାରାଷ୍ଟ୍ର ବିଜେପି ନେତା ଆଶିଷ ଶେଲାର ବୋର୍ଡର ନୂଆ କୋଷାଧ୍ୟକ୍ଷ ହେବେ, ଅର୍ଥାତ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ) ର ସଭାପତି ହୋଇପାରିବେ ନାହିଁ। ସେ ଶରଦ ପାୱାର ଗୋଷ୍ଠୀର ସମର୍ଥନରେ ଏହି ଭୂମିକା ନିର୍ବାହ କରିବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ଘନିଷ୍ଠ ସହଯୋଗୀ ଦେବଜିତ୍ ସାଇକିଆ ଭାରତୀୟ ବୋର୍ଡର ନୂଆ ଯୁଗ୍ମ ସଚିବ ହେବେ। ସେ ଜୟଶ ଜର୍ଜଙ୍କ ସ୍ଥାନ ନେବେ। ଆଇସିସି ଅଧ୍ୟକ୍ଷ ପଦ ପାଇଁ ବିସିସିଆଇ ନିର୍ବାଚନ ଲଢ଼ିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ଅକ୍ଟୋବର ୧୮ରେ ମୁମ୍ବାଇରେ ହେବାକୁ ଥିବା ବିସିସିଆଇ ଏଜିଏମରେ ବିନ୍ନି ଆନୁଷ୍ଠାନିକ ଭାବେ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିବେ। ସମସ୍ତ ପ୍ରାର୍ଥୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବାରୁ କୌଣସି ପଦ ପାଇଁ ନିର୍ବାଚନ ହେବ ନାହିଁ। ୧୯୮୩ ବିଶ୍ୱକପରେ ଭାରତ ଚାମ୍ପିୟନ ହେବାରେ ମିଡିୟମ ପେସର୍ ବିନ୍ନି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ୮ଟି ମ୍ୟାଚରେ ୧୮ଟି ୱିକେଟ୍ ନେଇଥିଲେ ଯାହା ସେହି ଟୁର୍ନାମେଣ୍ଟ ପାଇଁ ଏକ ରେକର୍ଡ ଥିଲା | ସଭାପତି ପଦ ପାଇଁ ବିନ୍ନିଙ୍କ ଚୟନ ଅପ୍ରତ୍ୟାଶିତ ତଥା ଆଶ୍ଚର୍ଯ୍ୟଜନକ । ସୂତ୍ରରୁ ପ୍ରକାଶ, “ରୋଜର ଜଣେ ଭଲ ମଣିଷ ଯିଏ ଭାରତ ପାଇଁ ଖେଳୁଥିବା ସମୟରେ ଦେଶର ଗୌରବ ବଢାଇଥିଲେ । ସେ ବିଶ୍ୱକପ୍‌ର ହିରୋ ଏବଂ ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ରହିଛି । ଯେତେବେଳେ ତାଙ୍କ ପୁଅ ଷ୍ଟୁଆର୍ଟ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ଦାବିଦାର ଥିଲେ ସେତେବେଳେ ରୋଜର ବିନ୍ନି ଚୟନ କମିଟିରୁ ଇସ୍ତଫା ଦେଇଥିଲେ।

ସୋମବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିଥିବା ଗାଙ୍ଗୁଲି ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ। ଗାଙ୍ଗୁଲି ବିସିସିଆଇ ସଭାପତି ପଦ ବଜାୟ ରଖିବା ପାଇଁ ଆଗ୍ରହୀ ଥିଲେ, କିନ୍ତୁ ବୋର୍ଡ ସଭାପତି ପଦବୀ ପାଇଁ ଏପରି ପରମ୍ପରା ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ସୌରଭ ଗାଙ୍ଗୁଲିଙ୍କୁ ଆଇପିଏଲ ଅଧ୍ୟକ୍ଷ ପଦ ଯଚା ଯାଇଥିଲା, କିନ୍ତୁ ସେ ଏହାକୁ ନମ୍ରତାର ସହ ଅଗ୍ରାହ୍ୟ କରିଥିଲେ। ତାଙ୍କର ଯୁକ୍ତି ଥିଲା ଯେ ସେ ବିସିସିଆଇ ସଭାପତି ହେବା ପରେ ସେ ଏହାର ଉପ-କମିଟିର ମୁଖ୍ୟ ହୋଇପାରିବେ ନାହିଁ।

ଧୁମଲଙ୍କ ମାମଲାରେ ନିଷ୍ପତ୍ତି ନେଉଥିବା ବ୍ୟକ୍ତି ଗାଙ୍ଗୁଲିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ ଏବଂ ଯେତେବେଳେ ସେ ଆଇପିଏଲ ଅଧ୍ୟକ୍ଷ ହେବାକୁ ମନା କରିଦେଇଥିଲେ, ସେତେବେଳେ ସେ ଏହି ପଦକୁ ହିମାଚଳ ପ୍ରଦେଶର ବାସିନ୍ଦା ଧୁମଲଙ୍କୁ ଦେଇଥିଲେ। ଆସନ୍ତା କିଛି ଦିନ ମଧ୍ୟରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ବିସିସିଆଇର ଆପେକ୍ସ କାଉନସିଲ୍ ଏବଂ ଆଇପିଏଲ୍ ପରିଚାଳନା ପରିଷଦର ସଦସ୍ୟଙ୍କ ନାମ ଜଣା ପଡିବ।