Odia News Portal

ମାଡି ଆସୁଛି ୟସ୍: ଏସଆରସିଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟସ୍ । ତେବେ ବାତ୍ୟା ନେଇ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସଆରସିଙ୍କ କହିବା ଅନୁଯାୟୀ,ଏବେ ପର୍ଯ୍ୟନ୍ତ ୨ ଲକ୍ଷ ଲୋକଙ୍କ ସ୍ଥାନାନ୍ତରଣ ସରିଛି । ଭିତରକନିକା, ଚାନ୍ଦବାଲି, ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ ସମ୍ଭାବନା ରହିଛି । ସେସବୁ ସ୍ଥାନରେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି । ୩୫ ଟି ବ୍ଲକରେ ୫୦ମିମିରୁ ଅଧିକ ବର୍ଷା ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକରେ ଅଧିକ ବର୍ଷା ହୋଇଛି । ରାଜନଗର ଓ ପାରାଦୀପରେ ସର୍ବାଧିକ ବର୍ଷା ଆକଳନ କରାଯାଇଛି । ପବନର ବେଗ ଆହୁରି ବୃଦ୍ଧି ପାଇବ । ସନ୍ଧ୍ୟାରୁ ପବନର ବେଗ ଆହୁରି ଅଧିକ ହେବ । ୬ହଜାର ୯୦୦ ବାତ୍ୟା ଆଶ୍ରୟସ୍ଥଳରେ ୭ଲକ୍ଷ ଲୋକ ରହିବା ଭଳି ବ୍ୟବସ୍ଥା କରାଯାଇଛି ।

ସେହିଭଳି ୫ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସଚିବମାନେ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଶକ୍ତି, ପୂର୍ତ୍ତ ବିଭାଗ ଓ ମେଡିକାଲ ଗୁଡିକରେ ସମସ୍ତ ବ୍ୟବସ୍ଥା ହୋଇଛି । ଜୁଆର ଆଶଙ୍କା ଥିବା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।୭୧୦ଟି ଡିଜି ସେଟ୍, ୮୧୩ଟି ଟ୍ୟାଙ୍କର ପଠାଯାଇଛି । ବିଜୁଳି ବିଭାଗର ୧୦ ହଜାର ଲୋକଙ୍କୁ ମୁତୟନ କରାଯାଇଛି । ଆଉ ୨ ହଜାର ଅତିରିକ୍ତ ଲୋକଙ୍କୁ ମୁତୟନ କରାଯିବ କହିଛନ୍ତି ଏସଆରସି ।