Odia News Portal

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ହେଉଛି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ । ମହଣ ମହଣ ସୁନାରେ ଭୁଷିତ ହୋଇଛନ୍ତି ମହାପ୍ରଭୁ । ଭାଇ ଭଉଣୀଙ୍କ ସହ ତିନି ରଥରେ ବିରାଜମାନ କରିଛନ୍ତି କାଳିଆ ସାଆନ୍ତ । ସୁନାବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ଗତକାଲି ବାହୁଡ଼ା ଯାତ୍ରା ଥିଲା । ମାଉସିମା ଘରେ ପୋଡ଼ପିଠା ଖାଇବା ପରେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଛି । କରୋନା କଟକଣା ମାନି ସୁନାବେଶ ଚାଲିଛି । ସେବାୟତଙ୍କ ଦ୍ୱାରା ଶ୍ରୀମନ୍ଦିରରୁ ସୁନା ଆସିବା ପରେ ଶ୍ରୀଜୀଉଙ୍କୁ ସଜା ଯାଉଛି । ଗୋଟେ ପରେ ଗୋଟେ ନୀତି କାନ୍ତି ଅନୁଷ୍ଠିତ ହେଉଛି । ରଥଯାତ୍ରା ପ୍ରଭୁ ସୁନାବେଶରେ ଦର୍ଶନ ଦେଉଥିବାବେଳେ ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।

ଅନ୍ୟପଟେ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଚଳିତବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । କେବଳ ସେବାୟତମାନେ ଚଳିତବର୍ଷ ରଥ ଟାଣିଥିଲେ । ପ୍ରଶାସନିକ ଅଧିକାରୀମାନେ ରଥକୁ ଦକ୍ଷିଣ ମୋଡ଼ କରିବାରେ ସହଯୋଗ କରିଥିଲେ ।