Odia News Portal

ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଧାରା ୧୨୪-ଏ ତଥା ଦେଶଦ୍ରୋହ ଆଇନର ପୁନର୍ବିଚାର ପର୍ଯ୍ୟନ୍ତ ଏହି ଧାରା ଅନୁଯାୟୀ କୌଣସି ନୂଆ ମାମଲା ରୁଜୁ ନ କରିବାକୁ କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ। ଏ ବାବଦରେ କେନ୍ଦ୍ର ରାଜ୍ୟମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିବ। ଏଥି ସହିତ ଦେଶଦ୍ରୋହ ସମ୍ପର୍କିତ ବିଚାରାଧୀନ ମାମଲାଗୁଡ଼ିକର ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ କହିଛନ୍ତି। ଏହାଛଡ଼ା ଯେଉଁମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲୁଛି ଏବଂ ଏହି ଅଭିଯୋଗରେ ଯେଉଁମାନେ ଜେଲରେ ଅଛନ୍ତି, ସେମାନେ ଉପଯୁକ୍ତ କୋର୍ଟରେ ଜାମିନ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି। ଦେଶଦ୍ରୋହ ଆଇନ ଉପରେ ପରବର୍ତ୍ତୀ ଶୁଣାଣି ଜୁଲାଇ ତୃତୀୟ ସପ୍ତାହରେ ହେବ।

ବୁଧବାର ସୁପ୍ରିମକୋର୍ଟରେ ଦେଶଦ୍ରୋହ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନର ଶୁଣାଣି ହୋଇଥିଲା। ଏହି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ ଯେ, ଆମେ ରାଜ୍ୟ ସରକାରଙ୍କୁ ଦିଆଯିବାକୁ ଥିବା ନିର୍ଦ୍ଦେଶର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛୁ। ତାଙ୍କ କହିବାନୁସାରେ, ରାଜ୍ୟ ସରକାରଙ୍କୁ ଏକ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯିବ ଯେ ଜିଲ୍ଲା ପୋଲିସ୍ କ୍ୟାପଟେନ୍ ଅର୍ଥାତ୍ ଏସପି ର଼୍ୟାଙ୍କ୍ ଅଧିକାରୀଙ୍କ ଅନୁମୋଦନ ବିନା ଦେଶଦ୍ରୋହ ଧାରା ଅନୁଯାୟୀ କୌଣସି ଏଫ୍ଆଇଆର୍ ପଞ୍ଜୀକୃତ ହେବ ନାହିଁ। ଏହି ଯୁକ୍ତି ସହିତ ସଲିସିଟର ଜେନେରାଲ କୋର୍ଟଙ୍କୁ ଏହି ଆଇନ ଉପରେ ଏବେ ସ୍ଥଗିତାଦେଶ ଜାରି ନ‌ କରିବାକୁ ନିବେଦନ କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଳ ସିବଲ୍ ଦେଶଦ୍ରୋହ ଆଇନକୁ ତୁରନ୍ତ ରଦ୍ଦ କରିବାକୁ ଦାବି କରିଥିଲେ ।

ସବୁ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ନାଗରିକଙ୍କ ଅଧିକାରର ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଏହି ଆଇନର ଦୁରୁପଯୋଗ ହେଉଛି | ଆଟର୍ଣ୍ଣି ଜେନେରାଲ ମଧ୍ୟ ତାଙ୍କ ମତରେ ଏହା ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲୁଛି ଏବଂ ଏହି ଅଭିଯୋଗରେ ଯେଉଁମାନେ ଜେଲରେ ଅଛନ୍ତି, ସେମାନେ ଉପଯୁକ୍ତ କୋର୍ଟରେ ଜାମିନ ଆବେଦନ କରିପାରିବେ। କାରଣ କେନ୍ଦ୍ର ସରକାର ଏହି ଆଇନର ପୁନର୍ବିଚାର କରିବାକୁ କହିଛନ୍ତି, ଯେପର୍ଯ୍ୟନ୍ତ ପୁନର୍ବିଚାର ନ ହୋଇଛି ଏହି ଆଇନ ଅନୁଯାୟୀ କୌଣସି ମାମଲା ରୁଜୁ ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ବିଚାରାଧୀନ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ
ତିନିଜଣିଆ ଖଣ୍ଡପୀଠ ଦେଶଦ୍ରୋହ ଆଇନର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି କରୁଛନ୍ତି।

ଏହି ମାମଲାରେ କେନ୍ଦ୍ର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସରକାର ଦେଶଦ୍ରୋହ ଆଇନର ପୁନର୍ବିଚାର ଏବଂ ପୁନ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲା । ଦେଶଦ୍ରୋହ ଆଇନର ବୈଧତା ଉପରେ ପୁନର୍ବିଚାର ନହେବା ପର୍ଯ୍ୟନ୍ତ ଶୁଣାଣି ନ କରିବାକୁ କେନ୍ଦ୍ର ସରକାର କୋର୍ଟଙ୍କୁ ଅନୁରୋଧ କରିଥିଲେ । କିନ୍ତୁ କୋର୍ଟ କେନ୍ଦ୍ରର ଏହି ଅନୁରୋଧକୁ ଗ୍ରହଣ କରିନାହାଁନ୍ତି ।