Odia News Portal

ଆଜିଠୁ ଟି-୨୦ ସିରିଜ୍‌: ୱେଷ୍ଟଇଣ୍ଡିଜ୍ ଉପରେ ପ୍ରାଧାନ୍ୟ ବଜାୟ ରଖିବା ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ୍ ସ୍ପେନ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଦିନିକିଆ ସିରିଜକୁ ପୋଛିନେବା ପରେ ଭାରତର ଫୁଲ୍ ଷ୍ଟ୍ରେନ୍ଥ ଟିମ୍ ଏବେ ଟି୨୦ ସିରିଜରେ ମଧ୍ୟ ପ୍ରାଧାନ୍ୟ ବଜାୟ ରଖି ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ଦ୍ୱିତୀୟ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିବ ।

ଦିନିକିଆ ସିରିଜରୁ ବିଶ୍ରାମ ପରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ସବୁ ଷ୍ଟାର ଖେଳାଳି ଟି୨୦ ସିରିଜ ପାଇଁ ଫେରିଛନ୍ତି । ଉଲ୍ଳେଖଯୋଗ୍ୟ, ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଟି୨୦ ସିରିଜରୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଟି୨୦ ବିଶ୍ୱକପକୁ ଆଉ ମାତ୍ର ତିନି ମାସରୁ କମ୍ ସମୟ ରହିଥିବା ବେଳେ ଏହି ମେଗା ଇଭେଣ୍ଟ ପାଇଁ ଚୂଡ଼ାନ୍ତ ଦଳ ପ୍ରସ୍ତୁତ କରିବା ଲାଗି କ୍ୟାପଟେନ ରାହିତ ଓ କୋଚ୍ ରାହୁଲ ଦ୍ରାବିଡ ଆଉ ୧୬ଟି ମ୍ୟାଚ୍ ପାଇବେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫, ଏସିଆ କପରେ ୫ (ଯଦି ଭାରତ ଫାଇନାଲ ଖେଳେ), ଅଷ୍ଟ୍ରେଲିଆ ବିପକ୍ଷରେ ୩ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ମ୍ୟାଚ୍ ଖେଳିବ ଭାରତ ।

ବ୍ୟାଟିଂକ୍ରମର ଟପ୍‌-୬ରେ ରୋହିତଙ୍କ ସମେତ ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ଭଳି ପାଞ୍ଚ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କ ଉପସ୍ଥିତି ହିଁ ବିପକ୍ଷ ଦଳରେ ଛନକା ସୃଷ୍ଟି କରିବାରେ ଯଥେଷ୍ଟ । ପୁଣି ବିରାଟ କୋହଲିଙ୍କ ଭଳି ଜଣେ ସୁପରଷ୍ଟାରଙ୍କ ବିନା ଭାରତର ଏହି ବ୍ୟାଟିଂ ଲାଇନ୍ ଅପ୍ ବେଶ୍ ବିପଜ୍ଜନକ ମନେ ହେଉଛି । କୋହଲି ଦୀର୍ଘ ସମୟ ଧରି ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ଏପରିକି ଦଳରେ ସେ ସ୍ଥାନ ବଜାୟ ରଖିବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି ।

କୋହଲିଙ୍କ ଖରାପ ଖର୍ଫ ସତ୍ତ୍ୱେ ଭାରତର କିଛି ସୀମିତ ଓଭର ଖେଳାଳିଙ୍କ ଉପସ୍ଥିତି କିପରି ପ୍ରତିପକ୍ଷ ଦଳକୁ ବିଚଳିତ କରିପାରେ ତାହାର ପ୍ରମାଣ ଇଂଲଣ୍ଡ ବିପକ୍ଷ ସିରିଜରେ ମିଳିଥିଲା । ଏପରି ସ୍ଥଳେ କୋହଲିଙ୍କ ଆଧିପତ୍ୟ ଶେଷ ହୋଇସାରିଛି କି ନାହିଁ ଏବଂ ଦଳରେ ତାଙ୍କ ଆବଶ୍ୟକତା ଆଉ ଅଛି କି ନାହିଁ ତାହା ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ୍ ଟି୨୦ ସିରିଜ୍ ପରେ ସ୍ପଷ୍ଟ ହୋଇଯିବ ।
ସୀମିତ ସୁଯୋଗ ପାଇଥିଲେ ହେଁ ଦୀପକ ହୁଡା ତାଙ୍କ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଇନିଂସ୍ ଓପନ କରି ସେ ଏକ ଶତକ ହାସଲ କରିଥିଲେ । ଏବଂ ଇଂଲଣ୍ଡ ବିପକ୍ଷରେ ଗୋଟିଏ ମ୍ୟାଚ ଖେଳିଥିଲେ ମଧ୍ୟ ସେ ପୁଣି ପ୍ରଭାବୀ ପ୍ରଦର୍ଶନ କରିଥିଲେ । ତଥାପି କୋହଲିଙ୍କ ପାଇଁ ହୁଡାଙ୍କୁ ବାଟ ଛାଡ଼ିବାକୁ ପଡ଼ିଥିଲା । ଏହାଛଡ଼ା ସେ ଜଣେ କାମଚଳା ସ୍ପିନର ମଧ୍ୟ । ଯଦି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ହୁଡା ଭଲ ପ୍ରଦର୍ଶନ ଜାରି ରଖନ୍ତି, ତେବେ ଅଧିନାୟକ ରୋହିତଙ୍କ ମୁଣ୍ଡବ୍ୟଥା ବଢିବ ଏବଂ ଏସିଆ କପରୁ ଯେବେ କୋହଲି ପ୍ରତ୍ୟାବର୍ତ୍ତନ କରିବେ ତାଙ୍କ ଉପରେ ମଧ୍ୟ ଚାପ ବଢ଼ିବ ।

ଦିନିକିଆ ସିରିଜରେ ମୂଳପୋଛ ହେବା ପରେ ୱେଷ୍ଟଇଣ୍ଡିଜ୍ ଟି୨୦ରେ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ରହିବ । ଦିନିକିଆ ତୁଳନାରେ ଟି୨୦ ଫର୍ମାଟରେ ୱେଷ୍ଟଇଣ୍ଡିଜ୍ ଏକ ଲଢୁଆ ଦଳ ଭାବେ ପରିଚିତ । ଏହି ଫର୍ମାଟକୁ ସୁହାଇବା ଭଳି ଦଳ ପାଖରେ ଅନେକ ପାୱାର ହିଟର ମଧ୍ୟ ଅଛନ୍ତି । ତେଣୁ ଭାରତକୁ ଘରୋଇ ଦଳ କଡ଼ା ଚ୍ୟାଲେଞ୍ଜ ଦେଇପାରେ ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, ଶ୍ରେୟସ ଆୟର, ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, କେଏଲ ରାହୁଲ, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଅବେଶ ଖାନ, ହର୍ଷଲ ପଟେଲ, ରବି ବିଷ୍ଣୋଇ, ଅକ୍ଷର ପଟେଲ, ଅର୍ଶଦୀପ ସିଂ ।