Odia News Portal

କେନ୍ଦ୍ର ଟିକସ ନେଉଛି ତେଣୁ ଖାଇବା ତେଲ ଦର ବଢ଼ୁଛି: ମନ୍ତ୍ରୀ

ଖାଇବା ତେଲ ଦର ବୃଦ୍ଧି ନେଇ ରାଜ୍ୟର କେନ୍ଦ୍ରକୁ ଟାର୍ଗେଟ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଖାଇବା ତେଲ ପ୍ରସଙ୍ଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା ହୋଇଛି ।

ବିଧାନସଭାରେ ଖାଇବା ତେଲ ଦର ବୃଦ୍ଧି ସଂପର୍କିତ ଆଲୋଚନାରେ ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ସମୟରେ କଂଗ୍ରେସ ମଧ୍ୟ ଖାଇବା ତେଲର ଦର ବୃଦ୍ଧି ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛି ।ଖାଇବା ତେଲର ଅହେତୁକ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକ ହଇରାଣ ହେଉଛନ୍ତି । ତେଣୁ କେନ୍ଦ୍ର ସରକାର ତେଲ ଉପରୁ ଟ୍ୟାକ୍ସ କମାନ୍ତୁ ବୋଲି କଂଗ୍ରେସ କହିଛି । ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପାମୋଲିନ୍ ତେଲ ଉପରେ କେନ୍ଦ୍ର ସରକାର ୧୭ ଦଶମିକ ୫ ପ୍ରତିଶତ ଶୁଳ୍କ ନେଉଛନ୍ତି ।

ସେହିଭଳି ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ୨୦ପ୍ରତିଶତ । ଖାଇବା ତେଲ ଉପରେ କୃଷି ଉନ୍ନତୀକରଣ ଶୁଳ୍କ ଲାଗୁ କରିଛି କେନ୍ଦ୍ର । ଏହାଛଡ଼ା ଖାଇବା ତେଲ ଉପରେ କେନ୍ଦ୍ର ୨୧ପ୍ରତିଶତ ଆମଦାନୀ ଶୁଳ୍କ ନେଉଛି । ଖାଇବା ତେଲ ଉପରେ ୫ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି କେନ୍ଦ୍ର ସରକାର । ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ ୨ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଖାଇବା ତେଲକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ବି କେନ୍ଦ୍ର ସରକାର ବାଦ ଦେଇଛନ୍ତି । ସେହେତୁ ଖାଇବା ତେଲର ଦରଦାମ ବଢ଼ି ଚାଲିଛି |