Odia News Portal

ସ୍ମିତ ମଚ୍ଛାରଙ୍କୁ ହତ୍ୟା କରି ବିମାନକୁ ୯/୧୧ ଭଳି ଦୁର୍ଘଟଣା କରିଥାନ୍ତେ ଓମାନୀ ପାଇଲଟ

ଫ୍ଲାଇଦୁବାଇ ବିମାନରେ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଆକ୍ରମଣ ପଛରେ ଥିବା ଉଦ୍ଦେଶ୍ୟ କେବଳ ବିମାନର ନିୟନ୍ତ୍ରଣ ନେବା ନଥିଲା। ତଦନ୍ତରେ ଏପରି ଦାବି ସାମ୍ନାକୁ ଆସିଛି ଯେ, ସହ-ପାଇଲଟ୍ ହମାମ ଅଲ୍-ହମାମି କ୍ୟାପ୍ଟେନ୍ ସ୍ମିତଙ୍କୁ ହତ୍ୟା କରି ବିମାନକୁ ନିଜ ନିୟନ୍ତ୍ରଣକୁ ନେବା ସହ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିବା ସନ୍ଦେହ ରହିଛି। ରିପୋର୍ଟ ଅନୁସାରେ, ପ୍ରଥମେ କ୍ୟାପ୍ଟେନ୍ ସ୍ମିତଙ୍କୁ ଗୁପ୍ତ ଭାବେ ଆକ୍ରମଣ କରି ହତ୍ୟା କରିବା ଏବଂ ପରେ ସ୍ୱାଭାବିକ ଭାବେ ବିମାନ ଚଳାଇ ତେଲ୍ ଆଭିଭ୍ ପର୍ଯ୍ୟନ୍ତ ନେବାର ଯୋଜନା ଥିବା କୁହାଯାଉଛି।

ଏହା ପରେ ଲ୍ୟାଣ୍ଡିଂ ପାଇଁ ଅନୁମତି ନେଇ, ଶେଷ ମୁହୂର୍ତ୍ତରେ ବିମାନକୁ ତେଲ୍ ଆଭିଭ୍‌ର କୌଣସି ଉଚ୍ଚ ଅଟ୍ଟାଳିକା କିମ୍ବା ବେନ୍ ଗୁରିଅନ୍ ବିମାନବନ୍ଦରରେ ଥିବା ଅନ୍ୟ ଏକ ବିମାନ ସହ ଧକ୍କା କରାଇବାର ଯୋଜନା ଥିବା ତଦନ୍ତକାରୀ ସଂସ୍ଥାଗୁଡ଼ିକ ଯାଞ୍ଚ କରୁଥିବା ରିପୋର୍ଟରେ ଦାବି କରାଯାଇଛି। ଘଟଣାଟି ୩୦ ତାରିଖରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନର କକ୍‌ପିଟ୍‌ରେ ଘଟିଥିଲା। UAE କର୍ତ୍ତୃପକ୍ଷଙ୍କ ଅନୁସାରେ, ସହ-ପାଇଲଟ୍ କକ୍‌ପିଟ୍‌ରେ ଥିବା କ୍ରାସ୍ ଆକ୍ସ ବ୍ୟବହାର କରି କ୍ୟାପ୍ଟେନ୍ ସ୍ମିତଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ବିମାନର ନିୟନ୍ତ୍ରଣ ନେବାକୁ ଉଦ୍ୟମ କରିଥିଲେ।

UAEର ପ୍ରସିକ୍ୟୁଟର ଜେନେରାଲ୍ ଏହି ଘଟଣାକୁ ଏକ ଆତଙ୍କବାଦୀ ଆକ୍ରମଣର ଉଦ୍ୟମ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ଘଟଣାର ପ୍ରକୃତ ଉଦ୍ଦେଶ୍ୟ ଏବଂ ଏହା ପଛରେ ଥିବା ସମସ୍ତ ଦିଗକୁ ନେଇ ତଦନ୍ତ ଏବେ ବି ଜାରି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୁରୁତର ଆହତ ହେବା ସତ୍ତ୍ୱେ କ୍ୟାପ୍ଟେନ୍ ସ୍ମିତ ନିଜ ଉପସ୍ଥିତ ବୁଦ୍ଧି ହରାଇନଥିଲେ। ସେ କକ୍‌ପିଟ୍‌ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହାପରେ ଅନ୍ୟ କ୍ରୁ ସଦସ୍ୟ ଏବଂ ଲୋକମାନେ କକ୍‌ପିଟ୍‌ରେ ପ୍ରବେଶ କରି ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ପରେ ବିମାନଟିକୁ ସାଉଦି ଆରବର ତାବୁକରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

ଘଟଣାକୁ ଇସ୍ରାଏଲ୍ ପକ୍ଷରୁ ମଧ୍ୟ ଆତଙ୍କୀ ଆକ୍ରମଣ ବୋଲି କୁହାଯାଇଛି। ତେବେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଓମାନର ଏହି ପାଇଲଟ୍ କିଭଳି ଉଡ଼ାଣ ପାଇଁ ଅନୁମତି ପାଇଲେ, ତାହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ଏବେ ତଦନ୍ତକାରୀଙ୍କ ନଜରରେ ରହିଛି—ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସୁରକ୍ଷା ଯାଞ୍ଚରେ କୌଣସି ତ୍ରୁଟି ହୋଇଥିଲା କି ନାହିଁ ଏବଂ ଘଟଣା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ। ତେବେ ଏହି ସମସ୍ତ ଘଟଣା ମଧ୍ୟରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ଏକ ବଡ଼ ବିପଦକୁ ଟାଳିଦେଇଥିବା କୁହାଯାଉଛି।

ଗୁରୁତର ଆହତ ହେବା ସତ୍ତ୍ୱେ ସେ ବିମାନର ନିୟନ୍ତ୍ରଣ ରକ୍ଷା କରିବାରେ ସଫଳ ହୋଇଥିଲେ। ଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ରହିଥିଲା ଏବଂ ବିମାନଟି ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରିପାରିଥିଲା। ଏବେ ଏହି ଘଟଣାର ସମ୍ପୂର୍ଣ୍ଣ ସତ୍ୟ ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ।