Odia News Portal

ବାଇଡେନ୍ ରାଷ୍ଟ୍ରପତି ଘୋଷିତ

ଓ୍ୱାସିଂଟନ୍‌: ହିଂସାକାଣ୍ଡ ଓ ବାଦ ବିବାଦ ପରେ ଶେଷରେ ନିଜର ପରାଜୟ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିବା ପରେ, ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି । ଟ୍ରମ୍ପ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହା ତାଙ୍କର ଐତିହାସିକ ତଥା ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳର ସମାପ୍ତ ହୋଇଛି । ନିର୍ବାଚନ ଫଳାଫଳ ସହିତ ସେ ସଂପୂର୍ଣ୍ଣ ସହମତ ନୁହନ୍ତି, କିନ୍ତୁ ଜାନୁଆରୀ ୨୦ରେ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି । ଆମେରିକା ସଂସଦ ଆଜି ବାଇଡେନଙ୍କ ବିଜୟକୁ ସୁନିଶ୍ଚିତ କରିଥିବାରୁ ସେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଉପ ରାଷ୍ଟ୍ରପତି କମଲା ହାରିସ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ।

ଆଜି ଆମେରିକା ସଂସଦର ବୈଠକ ବସିଥିଲା। ଏଥିରେ ଉପ ରାଷ୍ଟ୍ରପତି ମାଇକ ପେନ୍ସ କେତେ ଇଲେକ୍ଟୋରାଲ ଭୋଟ ବାଇଡେନଙ୍କ ସପକ୍ଷରେ ପଡ଼ିଛି, ତା’କୁ ଗଣତି କରିଥିଲେ। ଗଣତି ବେଳେ ବାଇଡେନଙ୍କ ସପକ୍ଷରେ ୩୬୦ଟି ଇଲେକ୍ଟୋରାଲ ଭୋଟ ଥିବା ସେ ଘୋଷଣା କରିଥିଲେ। ସେହିପରି ଟ୍ରମ୍ପଙ୍କ ସପକ୍ଷରେ ୨୩୨ଟି ଇଲେକ୍ଟୋରାଲ ଭୋଟ ପଡ଼ିଛି।

ଆଜି ସିନେଟର ବୈଠକ ବସିଥିବା ବେଳେ କ୍ୟାପିଟୋଲ ବିଲ୍ଡିଂ (ସଂସଦ) ପରିସରରେ ପ୍ରବଳ ହିଂସାକାଣ୍ତ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲ ହିଲ ବିଲଡିଂରେ ପ୍ରବେଶ କରି ହିଂସାତ୍ମକ ଉଦ୍ୟମ କରିଥିଲେ, ଯେଉଁଥିରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଥିତିକୁ ଦେଖି ଓ୍ୱାସିଂଟନ୍‌ରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରାଯାଇଛି । ୱାଶିଂଟନ୍ ଡିସିର ମେୟର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଓ ନୂଆ ରାଷ୍ଟ୍ରପତି ଦାୟିତ୍ୱ ନନେବା ଯାଏ ଏହା ବଳବତ୍ତର ରହିବ ବୋଲି ସେ କହିଛନ୍ତି।