ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଉଭୟ କେନ୍ଦ୍ରମନ୍ତ୍ରୀ ମଙ୍ଗଳବାର କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପରିଦର୍ଶନ କରିବେ। ଗସ୍ତ ସମୟରେ HALର ବିଭିନ୍ନ କାର୍ଯ୍ୟକଳାପ ଓ ଚାଲିଥିବା ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିବେ ଅମିତ ଶାହ ଓ ରାଜନାଥ ସିଂହ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
କେନ୍ଦ୍ରର ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ଗସ୍ତକୁ ନେଇ କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁନାବେଡ଼ା ସମେତ ଗସ୍ତର ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ପୁଲିସ ଓ ସୁରକ୍ଷାବଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଅମିତ ଶାହ ଓ ରାଜନାଥ ସିଂହଙ୍କ ଏହି ଓଡ଼ିଶା ଗସ୍ତକୁ ନେଇ ରାଜ୍ୟରେ ରାଜନୈତିକ ଓ ପ୍ରଶାସନିକ ମହଲରେ ମଧ୍ୟ ଉତ୍ସୁକତା ବଢ଼ିଛି।
