Odia News Portal

ହାଟ ବନ୍ଦ ପରେ ରାସ୍ତାରେ ପରିବା ଢ଼ାଳି ବ୍ୟବସାୟୀଙ୍କ ପ୍ରତିବାଦ

ଝାରସୁଗୁଡା: ପରିବା ବିକ୍ରି ନ କରିପାରି ହନ୍ତସନ୍ତ ଚାଷୀ ।କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ପରିବା ଢ଼ାଳି ପରିବା ବିକାଳିଙ୍କ ପ୍ରତିବାଦ । ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ସାପ୍ତାହିକ ହାଟ ଓ ଦୈନିକ ହାଟକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦ କରିଦିଆଯାଇଛି । ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଏବଂ ପରିବା ବ୍ୟବସାୟମାନେ ପରିବା ବିକ୍ରି କରି ନ ପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ତେବେ ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ଓ ଦୈନିକ ହାଟ ବନ୍ଦ ହେବା ପରେ ସହରର ବିଭିନ୍ନ ସ୍ଥାନରେ ପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପରିବା ବିକାଳୀଙ୍କ ଅଭିଯୋଗ ହେଲା କେଉଁ ସ୍ଥାନରେ ବିକ୍ରି କରିବେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ । ମଙ୍ଗଳବାର ବଜାର ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ଓ ବ୍ୟବସାୟୀ ପରିବା ଧରି ପହଞ୍ଚିବା ପରେ ଏଠାରେ ବିକ୍ରି କରିବା ପାଇଁ ପୋଲିସ ପକ୍ଷରୁ ବାରଣ କରାଯାଇଥିଲା । ଯାହା ଫଳରେ ବ୍ୟବସାୟୀଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ରାସ୍ତା ଉପରେ ପନିପରିବା ଢାଳି ପ୍ରତିବାଦ କରିଥିଲେ ।

ତେବେ ପ୍ରାୟ ୪ ଘଣ୍ଟାର ଆନ୍ଦୋଳନ ହୋ ହଲ୍ଲା ପରେ ଝାରସୁଗୁଡା ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ପୋଲିସ ଉତ୍ତେଜିତ ବ୍ୟବସାୟୀଙ୍କ ସହ ଆଲୋଚନା କରି ହାଟ ଖୋଲିବାକୁ ଅନୁମତି ଦେଇ ଅପରାହ୍ନରେ କଟକଣା ସମ୍ପର୍କରେ ଆଲୋଚନା ପାଇଁ ଏକ ବୈଠକରେ ସାମିଲ ହେବାକୁ ପରାମର୍ଶ ଦେବା ପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା ।