Odia News Portal

ଭାରତକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବୁମ୍ରା ବଞ୍ଚିତ

ଅଷ୍ଟ୍ରେଲିଆରେ ଆସନ୍ତା ମାସରୁ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ପିଠିରେ ଆଘାତ ଯୋଗୁଁ ଷ୍ଟାର୍ ଦ୍ରୁତ ବୋଲର ଯସପ୍ରୀତ ବୁମ୍ରା ବିଶ୍ୱକପରୁ ବଞ୍ଚିତ ହୋଇଛନ୍ତି। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି । ବୁମ୍ରାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୪ ରୁ ୬ ମାସ ସମୟ ଲାଗିପାରେ | ପିଠି ଯନ୍ତ୍ରଣା ଯୋଗୁଁ ସେ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ରେ ବି ଖେଳିନଥିଲେ ।

ପିଠି ସମସ୍ୟା ଯୋଗୁଁ ବୁମ୍ରା ପୁରା ଏସିଆ କପରୁ ବାଦ୍ ପଡିଥିଲେ। ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ସିରିଜରେ ମଧ୍ୟ ସେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ସେ ଖେଳି ଚମତ୍କାର ବୋଲିଂ କରିଥିଲେ। ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ସେ ଟିକେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭରରେ ୫୦ ରନ୍ ଦେଇଥିଲେ ଗୋଟିଏ ବି ଓ୍ବିକେଟ୍ ପାଇନଥିଲେ ।

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା ହେବା ପରଠାରୁ ଟିମ୍ ଇଣ୍ଡିଆର ଟେନସନ ବୃଦ୍ଧି ପାଉଛି। ପ୍ରଥମେ ରବୀନ୍ଦ୍ର ଜାଡେଜା ଆହତ କାରଣରୁ ବିଶ୍ୱକପରୁ ବାଦ୍ ପଡିଥିଲେ । ତା’ପରେ ଦୀପକ ହୁଡା ମଧ୍ୟ ନିକଟରେ ଆହତ ହୋଇଥିଲେ, ଯେଉଁ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ଦିଆଯାଇଥିଲା। ବର୍ତ୍ତମାନ ଯସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତି ସହିତ ବିଶ୍ୱକପରେ ଭାରତର ସମସ୍ୟା ବଢ଼ିବ । ଏସିଆ କପ୍ ପରଠାରୁ ଭାରତ ପାଇଁ ଡେଥ୍ ଓଭର ବୋଲିଂ ଚିନ୍ତାର କାରଣ ହୋଇଛି ।

ବୁମରାଙ୍କ ସ୍ଥାନରେ ସିନିୟର ପେସର ମହମ୍ମଦ ଶାମିଙ୍କୁ ଭାରତୀୟ ବିଶ୍ଵକପ ଦଳରେ ସୁଯୋଗ ମିଳିପାରେ। ଟି-୨୦ ବିଶ୍ୱକପ୍‌ ପାଇଁ ଶାମିଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି । ଚଳିତ ବର୍ଷ ଆଇପିଏଲରେ ଶାମି ଚମତ୍କାର ପ୍ରଦର୍ଶନ କରିଥିଲେ । ଅଷ୍ଟ୍ରେଲିଆର ପିଚ୍ ସିମ୍ ଏବଂ ବାଉନ୍ସକୁ ସୁହାଇବା । ତେଣୁ ଶାମି ସେଠାରେ ସଫଳ ସାବ୍ୟସ୍ତ ହୋଇପାରନ୍ତି ।