Odia News Portal

ନ୍ୟୁଜିଲାଣ୍ଡ ଟେଷ୍ଟର ବେଷ୍ଟ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ହରାଇ ପ୍ରଥମଥର ଲାଗି ଟେଷ୍ଟରେ ବେଷ୍ଟ ହୋଇଛି ନ୍ୟୁଜିଲାଣ୍ଡ । ଫାଇନାଲ ମ୍ୟାଚରେ ୨ ୱିକେଟରେ ବିଜୟ ହୋଇଛି କ୍ୱିଇ ଦଳ । ପ୍ରଥମଥର ଲାଗି ଆଇସିସି ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ବେଳେ ନ୍ୟୁଜିଲାଣ୍ଡ ରେକର୍ଡ କରିଛି । ଆଜିଯାଏଁ ବଡ଼ ସିରିଜ ଜିତିନଥିବା ନ୍ୟୁଜିଲାଣ୍ଡକୁ ମିଳିଛି ବଡ଼ ସଫଳତା ।

ବର୍ଷା ବ୍ୟାଘାତ, ଆଲୋକ ଅଭାବ ଏବଂ ବାରମ୍ବାର ଖେଳ ବନ୍ଦ ହେବା ସତ୍ତ୍ବେ ସଂରକ୍ଷିତ ଦିବସରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ର ଫଳାଫଳ ବାହାରିଗଲା। ଏତେସବୁ ପ୍ରତିବନ୍ଧକ ସତ୍ତ୍ବେ ଭାରତ ପରାଜୟରୁ ବଞ୍ଚି ପାରିଲାନି। ପ୍ରଥମ ଦିନରୁ ବର୍ଷା ଯୋଗୁଁ ୪ ଦିନ ମଧ୍ୟରେ ପୂରା ୨ ଦିନ ଖେଳ ଆଦୌ ସମ୍ଭବ ହୋଇନଥିଲା। ଏହା ବ୍ୟତୀତ ଅନ୍ୟ ଦୁଇ ଦିନ ମଧ୍ୟ ଅଧିକାଂଶ ସମୟ ନଷ୍ଟ ହୋଇଥିଲା। ଏହାସତ୍ତ୍ବେ ରିଜର୍ଭ ଦିବସରେ ହିଁ ନ୍ୟୁଜିଲାଣ୍ଡ୍ ପୂରା ଆଧିପତ୍ୟ ବିସ୍ତାର କରି ମ୍ୟାଚ୍କୁ ନିଜ ସପକ୍ଷରେ କରି ଟ୍ରଫି ହାତେଇଥିଲା।

ଏଥି ସହିତ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍ ପରାଜୟର ଦୁଃଖକୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ରେ ଦୂର କରିଥିଲା। ଅନ୍ୟପକ୍ଷରେ କୋହଲିଙ୍କ ନେତୃତ୍ବରେ ଭାରତର ଆଇସିସି ଟ୍ରଫି ମରୁଡ଼ି ଧାରା ଆହୁରି ଲମ୍ବିଲା। ଅଭ୍ୟାସ ମ୍ୟାଚ୍ ବିନା ଏକ ବଡ଼ ମୁକାବିଲା ଖେଳିବାର ଫଳ ବି ଭାରତକୁ ମିଳିଲା। ନ୍ୟୁଜିଲାଣ୍ଡ କିନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ବିଜୟ ଅଭିଜ୍ଞତାକୁ ଭଲ ଭାବେ ଉପଯୋଗ କରି ଭାରତକୁ ଉଚିତ ଶିକ୍ଷା ଦେଲା।