Odia News Portal

୨୩ ଦିନ କ୍ୱାରେଣ୍ଟାଇନରେ ଥିଲେ ମହାତ୍ମାଗାନ୍ଧୀ

ଭୁବନେଶ୍ୱର()  କ୍ୱାରେଣ୍ଟାଇନ ନିୟମ ନମାନି ଲୋକେ ରାଜ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି । କରୋନା ଭ୍ୟାକସିନ ଏପର୍ଯ୍ୟନ୍ତ ବାହାରିନଥିବା ବେଳେ କିଛି ନିୟମ ପାଳନ କଲେ ଆମେ ଏହି ବିପତିକୁ ସାମ୍ନା କରିପାରିବା । ହେଲେ କିଛିଟା ଅମାନିଆଙ୍କ ପାଇଁ ରାଜ୍ୟର ସମସ୍ତ ଲୋକଙ୍କ ଜୀବନ ବିପଦରେ ।
ଜାତିର ଜନକ ମହାତ୍ମାଗାନ୍ଧୀ ସପରିବାର ପ୍ରାୟ ୮୦୦ ଯାତ୍ରୀଙ୍କ ସହ ଏକଦା ସମୁଦ୍ର ଭିତରେ ୨୩ଦିନ ଧରି କ୍ୱାରେଣ୍ଟାଇନରେ ଥିଲେ । ଏହି ଇତିହାସ କଥାବସ୍ତୁକୁ ନିଜେ ଗାନ୍ଧୀଜୀ ତାଙ୍କ ଆତ୍ମଜୀବନୀ ‘ସତ୍ୟର ପ୍ରୟୋଗ’ରେ ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ ପ୍ରାୟ ତିନିବର୍ଷ ରହିବାପରେ ଗାନ୍ଧୀଜୀ ୧୮୯୬ର ମଧ୍ୟଭାଗରେ ଏକ ଜଳଜାହାଜ ଯୋଗେ ଭାରତ ଫେରିଥିଲେ । ସେତେବେଳକୁ ବମ୍ବେ ପ୍ରଦେଶରେ ପ୍ଲେଗ ରୋଗ ଆତଙ୍କ ସୃଷ୍ଟି କରିଥାଏ । ଗାନ୍ଧୀଜୀ ବର୍ତ୍ତମାନର ଗୁଜୁରାଟ ଅର୍ନ୍ତଗତ ରାଜକୋଟରେ ପହଞ୍ଚିବାପରେ ପ୍ଲେଗ ନିୟନ୍ତ୍ରଣ ପାଇଁ ଗଠିତ ସରକାରୀ କମିଟିରେ ସାମିଲ ହୋଇଥିଲେ । ସେ ମୁଖ୍ୟତଃ ପାଇଖାନା ସଫେଇ, ପରିବେଶ ଏବଂ ଲୋକଙ୍କ ସଫାସୁତରା ଉପରେ ଗୁରୁତ୍ୱଆରୋପକରି ଅନେକ କାମ କରିଥିଲେ । ତେବେ ସେବର୍ଷ ଡିସେମ୍ବର ପହିଲାରେ ସେ ପତ୍ନୀ କସ୍ତୁରବା, ପୁଅ ହୀରାଲାଲ ଓ ମଣିଲାଲ ଏବଂ ଭଣଜାଙ୍କୁ ସାଙ୍ଗରେ ନେଇ ଦ୍ୱିତୀୟଥର ପାଇଁ ଏକ ଜଳଜାହାଜରେ ଦକ୍ଷିଣଆଫ୍ରିକା ଯାତ୍ରା ଆରମ୍ଭ କରିଥିଲେ । ଅନେକ ଜାହାଜ ବି ସେଦିନ ବମ୍ବେ ବନ୍ଦର ଛାଡିଥିଲା । ଏହି ଦୁଇଟି ଜାହାଜରେ ଦକ୍ଷିଣ ଆଫ୍ରିକାକୁ ପ୍ରାୟ ୮୦୦ ଯାତ୍ରୀ ଯାଉଥିଲେ ।

ବାଟରେ ଏହି ଦୁଇଟି ଜାହାଜ ପ୍ରଚଣ୍ଡ ସାମୁଦ୍ରିକ ଝଡର ସମ୍ମୁଖୀନ ହେବାପରେ ୧୮୯୬ ଡିସେମ୍ବର ୧୮ ତାରିଖରେ ଦକ୍ଷିଣଆଫ୍ରିକାର ଡର୍ବାନ ବନ୍ଦର ବାହାରେ ଲଂଗର ପକାଇଥିଲେ । ଅନ୍ୟତମ ଗାନ୍ଧୀବାଦୀ ରଚନାତ୍ମକ କର୍ମୀ ପ୍ରହଲାଦ କୁମାର ସିଂହ ଏ ସଂକ୍ରାନ୍ତରେ ଦସ୍ତାବିଜ ଅନୁଧ୍ୟାନ କରି ଉଲ୍ଲେଖ କରିଛନ୍ତି ଯେ ଡିସେମ୍ବର ୧୮ ତାରିଖରୁ ୨୩ଦିନ ଧରି ଏହି ଦୁଇଟିଯାକ ଜାହାଜର ପ୍ରାୟ ୮୦୦ ଯାତ୍ରୀଙ୍କୁ ସମୁଦ୍ର ମଧ୍ୟରେ କ୍ୱାରେଣ୍ଟାଇନ୍‍ରେ ରଖାଯିବା ପରେ ସେମାନଙ୍କୁ ଜାହାଜରୁ ଓହ୍ଲାଇବାପାଇଁ ଅନୁମତି ମିଳିଥିଲା ।

ବମ୍ବେରେ ପ୍ଲେଗ ବ୍ୟାପିଥିବା ଦୃଷ୍ଟିରୁ ଏହି ଜାହାଜ ଦୁଇଟିର ଯାତ୍ରୀମାନଙ୍କୁ କ୍ୱାରେଣ୍ଟାଇନ୍‍ରେ ୫ଦିନ ରହିବାକୁ ପଡିବ ବୋଲି ଜଣାଥିଲା । କାରଣ ପ୍ଲେଗ ଜୀବାଣୁ ପ୍ରକାଶିତ ବେହାପାଇଁ ଅତି ବେଶିରେ ୨୩ଦିନ ସମୟ ନେଇଥାନ୍ତି । ୧୮ଦିନ ଜଳଯାତ୍ରା ପରେ ତେଣୁ ଆଉ ୫ଦିନ ସମୁଦ୍ର ଭିତରେ ସେମାନେ କ୍ୱାରେଣ୍ଟାଇନରେ ରହିବାକଥା । ଡାକ୍ତରମାନେ ଆସି ଗାନ୍ଧୀଜୀଙ୍କ ସମେତ ଅନ୍ୟ ସମସ୍ତ ଯାତ୍ରୀଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ ମଧ୍ୟ କେହି ପ୍ଲେଗ କିମ୍ବା ଅନ୍ୟ କୌଣସି ଡିଆଁ ରୋଗରେ ଆକ୍ରାନ୍ତ ନଥିବା ଜଣାପଡିଥିଲା । ଏହା ସତ୍ୱେ ବି ବନ୍ଦର ବାହାରେ ସେମାନଙ୍କୁ ୨୩ଦିନ ପର୍ୟ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯିବାପରେ ଜାହାଜ ଦୁଇଟିକୁ ବନ୍ଦର ଭିତରକୁ ପଶିବାକୁ ଅନୁମତି ମିଳିଥିଲା ।