Odia News Portal

ସମସ୍ତଙ୍କୁ ଜୀବନସାଥି ବାଛିବାର ଅଧିକାର ଅଛି

କଥିତ ଲଭ୍‌ ଜେହାଦ ବିରୋଧରେ  ୟୁପିରେ ସରକାର ଶକ୍ତ ଆଇନ୍‌ ପ୍ରସ୍ତୁତି କରିବା ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ସ୍ୱତନ୍ତ୍ର ନିଷ୍ପତ୍ତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେକେହି ବ୍ୟକ୍ତିଙ୍କୁ ନିଜର ଜୀବନସାଥି ବାଛିବାର ଅଧିକାର ରହିଛି । କୋର୍ଟ କହିଛନ୍ତି , ସେ  ସମାନ ଲିଙ୍ଗି ବା ବିପରୀତ ଲିଙ୍ଗ ହେଇଥାନ୍ତୁ ନା କାହଁକି , ଆଇନ୍‌ ଦୁଇ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ଏକା ସାଥିରେ  ରହିବାର ଅନୁମତି ଦେଇଥାଏ ।

କୁଶୀ ନଗରରେ ରହୁଥିବା ସଲାମତ ଅନସାରୀ ଓ ପ୍ରିୟଙ୍କା  ଖରୱାରଙ୍କର ମାମଲାର ଶୁଣାଣି କରିବା ବେଳେ କୋର୍ଟ  କହିଛନ୍ତି  ଆଇନ୍‌ ଜଣେ ପ୍ରାପ୍ତ ବୟସ୍କ ମହିଳା ବା ପୁରୁଷଙ୍କୁ  ନିଜର ଜୀବନ ସାଥି ଚୟନ କରିବାର  ଅଧିକାର ଦେଇଥାଏ ।  କୋର୍ଟ କହିଥିଲେ , ସେମାନଙ୍କର ଶାନ୍ତିପୂର୍ଣ୍ଣ  ଜୀବନରେ  କୌଣସି ବ୍ୟକ୍ତି ବା ପରିବାର  ହସ୍ତକ୍ଷେପ କରିପାରିବେ ନାହିଁ।

ଏହାସହ କୋର୍ଟ କହିଥିଲେ , ଏମିତି କି କୌଣସି ରାଜ୍ୟ ସରକାର ମଧ୍ୟ ଦୁଇ ପ୍ରାପ୍ତ ବୟସ୍କ ଲୋକଙ୍କ ସମ୍ୱନ୍ଧକୁ ନେଇ  ଅପତ୍ତି ଉଠେଇ ପାରିବେ ନାହିଁ । କୋର୍ଟ ଏହି ନିଷ୍ପତ୍ତି କୁଶୀ ନଗର ଥାନାର ସଲାମତ ଅନସାରୀ ଓ ଆଉ ୩ଜଣଙ୍କ ପକ୍ଷରୁ  ଦାଖଲ ପିଟିସନ୍‌ରେ ଶୁଣାଣି ସମୟରେ କହିଥିଲେ ।

ଉଲ୍ଲେଖନୀୟ ଯେ, ସଲାମତ ଓ ପ୍ରିୟାଙ୍କା ଖରୱାର ପରିବାରର ଇଚ୍ଛା ବିରୋଧରେ ବିବାହ କରିଥିଲେ । ଉଭୟ ମୁସଲିମ୍‌ ରୀତିନୀତି ସହ  ୧୯ ଅଗଷ୍ଟ ୨୦୧୯ରେ ବିବାହ  କରିଥିଲେ ।  ପ୍ରିୟଙ୍କା ଖରୱାର ବିବାହ ପରେ ଆଲିଆ ହୋଇ ଯାଇଥିଲେ । ଏହି ମାମଲାରେ  ତାଙ୍କ ବିରୋଧରେ ଏଫ୍‌ଆଇଆର  ଦାଖଲ କରାଯାଇଥିଲା । ଏଥିରେ କହିଥିଲେ  ତାଙ୍କର ଝିଅକୁ ଭୁଲାଇ ଫୁସୁଲାଇ ଭଗେଇ ନିଆଯାଇଛି ।

ଜଷ୍ଟିସ୍‌ ପଙ୍କଜ ନକଭି ଓ ଜଷ୍ଟିସ୍‌  ବିବେକ ଅଗ୍ରୱାଲଙ୍କର ଡିଭିଜନ ବେଞ୍ଚ୍‌ ଶୁଣାଣି ସମୟରେ କହିଥିଲେ କି ପ୍ରିୟଙ୍କା  ଖରୱାର  ଓରଫ ଆଲିଆଙ୍କର ବୟସରେ କୌଣସି ବିବାଦ ନାହିଁ । ପ୍ରିୟଙ୍କା ଖରୱାର ଓରଫ ଆଲିଆ ଙ୍କର ବୟସ୍କ  ୨୧ ବର୍ଷ ।  କୋର୍ଟ  ପ୍ରିୟଙ୍କା  ଖରୱାର  ଓରଫ୍‌ ଆଲିଆଙ୍କୁ  ନିଜର ପତିଙ୍କ ସହ  ରହିବାକୁ ଅନୁମତି ଦେଇଛନ୍ତି ।