Odia News Portal

ତିନି ଜଣ ମୋଦିଙ୍କ ପାଇଁ ଦେଶରୁ ରୋଜଗାର ବନ୍ଦ ହୋଇଗଲା: ସିଦ୍ଧୁ

କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ପୁଣି ଏକ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଏଥରର ବିବାଦୀୟ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ। ଭୋପାଳରେ କଂଗ୍ରେସ ପାଇଁ ପ୍ରଚାରରେ ଯାଇଥିବା ସିଦ୍ଧୁ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ଯେବେ ମୁଁ ଯୁବକ ଥିଲି, ଛକା ମାରିବା ସମୟରେ ବଲ୍ ବାଉଣ୍ଡ୍ରି ପାର୍ ହୋଇ ଯାଉଥିଲା। ଭୋପାଳବାସୀ ମୋଠାରୁ ମଧ୍ୟ ବଳବାନ୍। ତେଣୁ ଏପରି ଛକା ମାର, ଯେପରି ମୋଦି ଭାରତ ବାହାରେ ପଡ଼ି ନିଶ୍ଚିହ୍ନ ହୋଇଯିବେ । ଆପଣଙ୍କର ଏହି ଛକା ମୋଦିଙ୍କୁ ଉଡ଼ାଇ ନେଇଯିବ।“

ଏହା ପୂର୍ବରୁ ମଧ୍ୟ ସିଦ୍ଧୁ ମୋଦିଙ୍କୁ କଟାକ୍ଷ କରି କହିଥିଲେ, “ମଶାକୁ କପଡ଼ା ପିନ୍ଧାଇବା,ହାତୀକୁ କୋଳରେ ନେବା ଯେପରି କଷ୍ଟ କାମ, ସେହିପରି କଷ୍ଟ ହେଉଛି ନରେନ୍ଦ୍ର ମୋଦିଙ୍କଠାରୁ ସତ କଥା ବାହାର କରିବା। “ଏପରି ମନ୍ତବ୍ୟ ଦେଇ ସିଦ୍ଧୁ ରାଜନୈତିକ ସ୍ତରରେ ସମାଲୋଚିତ ହୋଇଛନ୍ତି।

ନିର୍ବାଚନୀ ପ୍ରଚାର ସମୟରେ ସିଦ୍ଧୁ ସର୍ବଦା ମୋଦିଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି। ସିଦ୍ଧୁ ତାଙ୍କର ଆଉ ଏକ ମନ୍ତବ୍ୟରେ କହିଥିଲେ, “ଦେଶରେ ବର୍ତ୍ତମାନ ତିନି ଜଣ ମୋଦି ରହିଛନ୍ତି, ନିରବ ମୋଦି, ଲଲିତ୍ ମୋଦି ଓ ଅନ୍ୟ ଜଣେ ନରେନ୍ଦ୍ର ମୋଦି। ଏମାନଙ୍କ ପାଇଁ ଦେଶରୁ ରୋଜଗାର ବନ୍ଦ ହୋଇଗଲା, କୃଷକ ସମସ୍ୟାରେ ପଡ଼ିଲେ ଏବଂ ଯୁବକମାନେ ମଧ୍ୟ ନଷ୍ଟ ହୋଇଗଲେ। ଏପରି ସମୟରେ ଯଦି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ, ତେବେ ହିନ୍ଦୁସ୍ତାନ ନଷ୍ଟ ହୋଇଯିବ। “