Odia News Portal

ଆମେରିକାରେ ଫସିଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ () ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କରୋନା କଟକଣା କାରଣରୁ ଆମେରିକାର ମିଚିଗାନରେ ଫସି ରହିଛନ୍ତି । ସେ ବ୍ୟକ୍ତିଗତ କାରଣରୁ ଗତ ମାର୍ଚ୍ଚ ୭ରେ ଆମେରିକା ଯାଇଥିଲେ । ସେଠାରୁ ଏପ୍ରିଲ ୫ରେ ଭାରତ ଫେରିବା ପାଇଁ ଯୋଜନା କରିଥିଲେ । କିନ୍ତୁ କରୋନା କାରଣରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ରଦ୍ଦ କରାଯାଇଥିବାରୁ ସେ ଆମେରିକାରୁ ଫେରିପାରି ନଥିଲେ । ବ୍ୟକ୍ତିଗତ କାରଣରୁ ଛୁଟିରେ ଆମେରିକା ଯିବା ନିମନ୍ତେ ସେ ନିୟମ ମୁତାବକ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ନେଇଥିଲେ ।

ଦେଶ ବର୍ତ୍ତମାନ ଜଟିଳ ସମୟରେ ଗତି କରୁଥିବାରୁ ବରିଷ୍ଠ ପଦାଧିକାରୀମାନେ ତତ୍ପର ହୋଇ ପଡିଛନ୍ତି । ନିର୍ବାଚନ କମିଶନ(ଇସି)ର ମଧ୍ୟ କେତେକ ଆବଶ୍ୟକତା ପଡିଛି । ଆରୋରା ଆମେରିକାରୁ ରହି ଭିଡିଓ କନ୍‌ଫରେନ୍ସିଂ ଏବଂ ଫୋନ କଲ୍‌ ଯୋଗେ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି । କରୋନା ନିମନ୍ତେ ନିର୍ବାଚନ କମିଶନର ଅଧିକାରୀମାନଙ୍କର ୩୦ ପ୍ରତିଶତ ଦରମା କାଟ୍‌ ଲାଗି ନିଷ୍ପତ୍ତି ହୋଇଥିଲା । ଆରୋରା ଆମେରିକାରେ ରହି ଏହି ନିଷ୍ପତ୍ତି ନେଇଥିଲେ । ନିର୍ବାଚନ କମିଶନର ଅଶୋକ ଲାଭାସା, ସୁଶିଲ ଚନ୍ଦ୍ରା ଏବଂ ଉପ ନିର୍ବାଚନ କମିଶନର ବୁଧବାର ଆରୋରାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରି କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।