Odia News Portal

ମୁଁ ଜିତିଛି ନିର୍ବାଚନ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋଏ ବାଇଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧରାଶାୟୀ କରିଛନ୍ତି।ଏଥିସହ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହୋଇଛନ୍ତି ।

ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଏବେ ମଧ୍ୟ ପରାଜୟ ସ୍ଵୀକାର କରି ନାହାନ୍ତି। ବାଇଡେନଙ୍କ ବିଜୟ ଘୋଷଣାର ୫ ଘଣ୍ଟା ପର୍ଯ୍ୟନ୍ତ ନିରବ ରହିଥିବା ଟ୍ରମ୍ପ ଟ୍ଵିଟ୍ କରି ନିଜେ ଜିତିଥିବା ଦାବି କରିଛନ୍ତି। ନିର୍ବାଚନୀ ପ୍ରକ୍ରିୟା ବଡ ଧରଣର ହେରଫେର ଓ ଅନିୟମିତତା ହୋଇଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଟ୍ରମ୍ପ ଟ୍ଵିଟ୍ କରିଛନ୍ତି ଯେ, ପର୍ଯ୍ୟବେକ୍ଷକଙ୍କୁ କାଉଟିଂ ରୁମ ଭିତରକୁ ପ୍ରବେଶ ଅନୁମତି ଦିଆଯାଇନଥିଲା। ଏହି ନିର୍ବାଚନରେ ମୁଁ ବିଜୟୀ ହୋଇଛି ଏବଂ ମୋତେ ୭ କୋଟି ୧୦ ଲକ୍ଷ ବୈଧ ଭୋଟ୍ ମିଳିଛି। ଏହି ପୂରା ପ୍ରକ୍ରିୟା ମଧ୍ୟରେ ଅନେକ ତ୍ରୁଟି ହୋଇଛି। ତେଣୁ ପର୍ଯ୍ୟବେକ୍ଷକଙ୍କୁ ଏଥିରୁ ଦୂରେଇ ରଖାଗଲା। ଏମିତି ପୂର୍ବରୁ କେବେ ଘଟିନଥିଲା ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ କହିଛନ୍ତି ଲକ୍ଷାଧିକ ସଂଖ୍ୟାରେ ମେଲ-ଇନ ବାଲାଟ୍ସରେ ହେରଫେର ହୋଇଥିବା କଥାକୁ ପୁଣି ଥରେ ଦୋହରାଇଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି ୭ କୋଟି ୧୦ ଲକ୍ଷ ଭୋଟ୍ ରେକର୍ଡ, ଯାହା ରାଷ୍ଟ୍ରପତି ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀଙ୍କୁ ମିଳିଥାଏ। ଟ୍ରମ୍ପ ଏହା ପୂର୍ବରୁ ମଧ୍ୟ ମେଲ୍-ଇନ ବାଲାଟ୍ସର ଗଣନା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଟ୍ରମ୍ପ ଦୁଇ ଦିନ ପୂର୍ବେ ବିଜୟର ଘୋଷଣା କରିଥିଲେ। ଗୁରୁବାର ସେ ନିଜେ ବିଜୟୀ ହୋଇଥିବା ଦାବି କରି ଆଶଙ୍କା ପ୍ରକାଶ କରିଥିଲେ ଯେ, ନକଲି ଭୋଟ୍ ଜରିଆରେ ନିର୍ବାଚନର ଫଳାଫଳକୁ ବଦଳାଇବାକୁ ଉଦ୍ୟମ କରାଯାଉଛି। ଯଦି ଆପଣ ଲିଗାଲ ଭୋଟ୍ ଗଣିବେ ତେବେ ମୁଁ ସହଜରେ ଜିତୁଛି।