Odia News Portal

ଶ୍ରୀକାନ୍ତଙ୍କ ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ

ଭୁବନେଶ୍ବର () ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଯେକୌଣସି ସମୟରେ ହୋଇପାରେ ଦଳୀୟ କାର୍ଯ୍ୟାନୁଷ୍ଠାନ । ଏହାର ସଙ୍କେତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦେଇସାରିଲେଣି । ଦଳ ଓ ଦଳର ମୁଖ୍ୟଙ୍କ ବିରୋଧରେ ବାରମ୍ବାର ଗଣମାଧ୍ୟମରେ ମତ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗୋଟିଏ ଗୋଷ୍ଠି ପୂରା ଦମରେ ଲାଗିଥିବା ବେଳେ ତାଙ୍କର କିଛି ସମର୍ଥକ ଶ୍ରୀକାନ୍ତଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ଏପରିକି ଯେଉଁମାନେ ଏବେ ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଥା କହୁଛନ୍ତି, ସେମାନେ ନିଜର ବିଗତ ଦିନର ବିଶୃଙ୍ଖଳିତ ଆଚରଣ କଥା ଟିକେ ମନେ ପକାନ୍ତୁ ବୋଲି କହିଛନ୍ତି ।

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଶ୍ରୀକାନ୍ତ ଜେନାଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ସେ ଆକ୍ଷେପ କରିଛନ୍ତି ଯେ, ଶ୍ରୀକାନ୍ତଙ୍କ ଚରିତ୍ର ହେଉଛି ବିଶୃଙ୍ଖଳା ସୃଷ୍ଟି କରିବା। ବିଜୁ ପଟ୍ଟନାୟକଙ୍କୁ ବି ସେ ଛାଡି ନଥିଲେ। ତାଙ୍କ ଯୋଗୁଁ ଏକଦା ବିଜୁ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟରୁ ବଞ୍ଚିତ ହୋଇଥିଲେ । ଏବେ ସେ ପରିବର୍ତ୍ତିତ ପିସିସିର ନେତୃତ୍ବ ବିରୋଧରେ କରୁଥିବା ବୟାନବାଜିକୁ ନାପସନ୍ଦ କରିଛନ୍ତି ତାରା। ରାହୁଲ ଗାନ୍ଧୀ ନିର୍ଦେଶ ଦେଇଛନ୍ତି ଦଳୀୟ କଥା ଗଣ ମାଧ୍ୟମରେ କୁହନ୍ତୁ ନାହିଁ। ଶ୍ରୀକାନ୍ତ ଏକଥା ଗଣ ମାଧ୍ୟମରେ ଏକଥା କହିବା ଦୂର୍ଭାଗ୍ୟଜନକ। ହଜାରେ ଲୋକ ଚାଲିଗଲେ କଂଗ୍ରେସ ଉପରେ କିଛି ଫରକ ପଡିବନି। ତେଣୁ କଂଗ୍ରେସ ଦଳର ନିୟମ ଯିଏ ମାନୁନାହାନ୍ତି ତାଙ୍କୁ ଦଳରୁ ବିଦା କରିବା ଦରକାର ବୋଲି ତାରା କହିଛନ୍ତି।

ସେପଟେ ତାରାଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଆଉ ଏକ ଗୋଷ୍ଠୀ। ଶ୍ରୀକାନ୍ତ ଏତେବଡ ଭୁଲ କରି ନାହାନ୍ତି ଯେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ କଥା। ବରଂ ଯେଉଁମାନେ ଆଜି ଶ୍ରୀକାନ୍ତଙ୍କୁ ବିଶୃଙ୍ଖଳା ପାଇଁ ବହିଷ୍କାର କରିବାକୁ ଦାବି କରୁଛନ୍ତି ସେଇମାନେ ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଏବଂ ପ୍ରଭାରୀଙ୍କୁ ଗଣମାଧ୍ୟମରେ ଖୋଲାଖୋଲି ବିଷଦଗାର କରିଥିଲେ । ଅନନ୍ତ ସେଠୀ, ତାରାପ୍ରସାଦ ବାହିନୀପତି, ଯୋଗେଶ ସିଂ ଏବଂ ପ୍ରଫୁଲ୍ଲ ମାଝୀଙ୍କ ବିରୋଧରେ ବିଶୃଙ୍ଖଳା ପାଇଁ କାର୍ଯ୍ୟନୁଷ୍ଠାନ ନେଇଥିଲେ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସଂଧ୍ୟା ମାହାପାତ୍ର।

ମାତ୍ର କିଛି ମାସର ନିରବତା ପରେ ପୁଣି ଥରେ ରାଜ୍ୟ କଂଗ୍ରେସରେ ଗୋଷ୍ଠି କନ୍ଦଳ ତୀବ୍ର ହୋଇଥିବା ବେଳେ ଅସନ୍ତୋଷ ତେଜୁଛି । ଏ ଅସନ୍ତୋଷ ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଶାନ୍ତ ପଡିବ ନା ଆପୋଷ ବୁଝାମଣା ମାଧ୍ୟମରେ ତାହା ଦେଖିବାର କଥା । ସେପଟେ ରାହୁଲ ଗାନ୍ଧୀଙ୍କୁ ସମସ୍ତ କଥା ଅବଗତ କରାଯାଇଥିବାରୁ ତାଙ୍କର ପରବର୍ତ୍ତି ନିଷ୍ପତ୍ତି ମଧ୍ୟ ମହତପୂର୍ଣ୍ଣ ।