Odia News Portal

କାହ୍ନୁ-କୃଷ୍ଣଙ୍କ କାନ୍ଧରେ ଶ୍ରୀକାନ୍ତଙ୍କ ବନ୍ଧୁକ

ଭୁବନେଶ୍ୱର : ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବାହାର ରାସ୍ତା ଦେଖାଇବାପାଇଁ ଦଳର ଗୋଟିଏ ଲାଗି ପଡିଥିବାବେଳେ ଶ୍ରୀକାନ୍ତ ଏବେ ପ୍ରତି ଆକ୍ରମଣ ଆରମ୍ଭ କରିଛନ୍ତି । ଏହି ଆକ୍ରମଣ ପାଇଁ କାହ୍ନୁ-କୃଷ୍ଣଙ୍କ କାନ୍ଧରେ ବନ୍ଧୁକ ରଖି ସେ ଫୁଟାଉଥିବା ଦେଖିବାକୁ ମିଳୁଛି ।
ଶ୍ରୀକାନ୍ତଙ୍କ ପ୍ରତି ଆକ୍ରମଣରେ ଗତକାଲି କାର୍ଯ୍ୟାନୁଷ୍ଠାନ ନେଇ କଡା କଡା କଥା ଶୁଣାଉଥିବା କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଆଜି ଆପୋଷ ଆଲୋଚନା କଥା କହିଛନ୍ତି । ତାଙ୍କର କଡା ସ୍ୱର ବି ନରମି ଯାଇଛି । ଶ୍ରୀକାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୁହେଁ ତାଙ୍କ ସହ କିଭଳି ଆଲୋଚନା କରାଯାଇ ବିବାଦର ସମାଧାନ ହେବ ସେଥିପାଇଁ ଏଆଇସିସିକୁ ଲେଖାଯାଇଥିବା ଶ୍ରୀ ବିଶ୍ୱାଳ କହିଛନ୍ତି ।
ହେଲେ ଶ୍ରୀ ବିଶ୍ୱାଳ ଓ ତାଙ୍କ ପଛରେ ଥିବା ପିସିସି ସଭାପତି ନିରଞ୍ଜନଙ୍କୁ ସିଧା ଆକ୍ରମଣ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ଯଦିଓ ସେ ନିରଞ୍ଜନଙ୍କ ନାଁ ନେଇନାହାନ୍ତି ହେଲେ ବିଶ୍ୱାଳଙ୍କ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ଏପରିକି ହେମାନନ୍ଦ ଶୃଙ୍ଖଳା କମିଟି ନିଷ୍ପତ୍ତି ଗଣମାଧ୍ୟମରେ ପ୍ରକାଶ କରି ନିଜେ ଶୃଙ୍ଖଳା ଭାଙ୍ଗିଥିବା କାହ୍ନୁ କହିଛନ୍ତି । ଆଉ କାହ୍ନୁଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ବିଧାୟକ ପଦ ଛାଡିଥିବା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଆ । ସିଏ ମଧ୍ୟ ବିଶ୍ୱାଳଙ୍କୁ ଢାଲକରି ନିରଞ୍ଜନଙ୍କ ଆଡେ ତୀର ଚଳାଇଛନ୍ତି ।
ହେଲେ କଂଗ୍ରେସର ଗୋଟିଏ ବଡ ଗୋଷ୍ଠି ଶ୍ରୀକାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଛନ୍ତି । ଶ୍ରୀକାନ୍ତ ଯେଭଳି ଭାବେ ସଗରିଆଙ୍କୁ ନିଜ ପଟକୁ ନେଇ ବିଧାୟକ ସଂଖ୍ୟା କମାଇଲେ ଓ ନିରଞ୍ଜନଙ୍କୁ ପରୋକ୍ଷରେ ଯେଭଳି ଖଣିଚୋର ଓ ଲାଞ୍ଚଦାତା ଭଳି କଟୁ କଥା କହୁଛନ୍ତି ତାହା ରାଜ୍ୟରେ ଦଳକୁ ବ୍ୟାପକ କ୍ଷତି ପହଞ୍ଚାଉଥିବା ଏହି ଗୋଷ୍ଠି ଅଭିଯୋଗ କରୁଛନ୍ତି । ତେବେ ସବୁଠାରୁ ମଜାର କଥା ହେଲା ପିସିସି ସଭାପତି ନିରଞ୍ଜନ ଏ ସଂକ୍ରାନ୍ତରେ ପାଟି ଖୋଲୁ ନାହାନ୍ତି ।
ତେବେ ଶ୍ରୀକାନ୍ତ-ନିରଞ୍ଜନ ମୁହାଁମୁହିଁ ହେଉନଥିଲେ ମଧ୍ୟ ପରସ୍ପରର ସେନା ଏବେ ଲଢିବାରେ ଲାଗିଛନ୍ତି । ଶ୍ରୀକାନ୍ତ ଏବେ କାହ୍ନୁ-କୃଷ୍ଣଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟାଉଥିବାବେଳେ ନିରଞ୍ଜନଙ୍କ ସପକ୍ଷରେ ଏବେ ତାରା, ସୁରଙ୍କ ଭଳି ନେତା ବାହାରିଛନ୍ତି । ଆଗାମୀ ଦିନରେ ରାଜ୍ୟ କଂଗ୍ରେସର ଏହି ଶୀତଳଯୁଦ୍ଧରେ କିଏ ବଳି ପଡିବ ଏବଂ ଦଳ କିଭଳି ଏକାଠି ହୋଇ ବିଜେଡି ବିରୁଦ୍ଧରେ ଲଢିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।