Odia News Portal

ଲାଲକିଲ୍ଲାରେ ସ୍ୱାଧିନତା ଦିବସରେ କବୟିତ୍ରୀ ଗାୟତ୍ରୀବାଳାଙ୍କ ସହ ଯୋଗ ଦେଇଥିଲେ ୧୦ ଓଡ଼ିଆ ଅତିଥି

ନୂଆଦିଲ୍ଲୀ: ୭୫ତମ ସ୍ୱାଧିନତା ଦିବସରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ମହାଆଡ଼ମ୍ବରରେ ପାଳନ କରାଯାଇଛି ସ୍ୱାଧିନତା ଦିବସ । ଏହି ଅବସରରେ ଯୋଗଦେଇଛନ୍ତି ଓଡ଼ିଆ ଅତିଥି । ଯାହାକି ଓଡ଼ିଶା ଲାଗି ଗର୍ବ ଓ ଗୌରବର ବିଷୟ । ଏହି ଅବସରରେ ୧୦ଜଣ ଓଡ଼ିଆ ଅତିଥି ନିମନ୍ତ୍ରିତ ହୋଇ ଯୋଗଦେଇଥିଲେ । ଭାରତ ସରକାରଙ୍କ ନିମନ୍ତ୍ରଣ କ୍ରମେ ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳରୁ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିମାନେ ଯୋଗଦେଇଥିଲେ । ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, ଓଡ଼ିଶା ବାଲୁକା ଶିଳ୍ପୀ ତଥା ଓଡ଼ଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସ୍ୱନାମଧନ୍ୟ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଡ.ଗାୟତ୍ରୀବାଳା ପଣ୍ଡା, ଓଡ଼ିଶୀ ସଙ୍ଗୀତ ଶିଳ୍ପୀ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟନିର୍ବାହୀ ଡ. ସଙ୍ଗୀତା ଗୋସ୍ୱାଇଁ, ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ରତିକାନ୍ତ ମହାପାତ୍ର, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଓଡ଼ିଶୀ ସଙ୍ଗୀତ ଶିଳ୍ପୀ ଡ. ବିଜୟ ଜେନା, ଚାରୁ ଓ କାରୁକଳା ଶିଳ୍ପୀ ଜଗନ୍ନାଥ ପଣ୍ଡା, ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସ, ସମ୍ବଲପୁର ଲୋକ ସଙ୍ଗୀତ ଶିଳ୍ପୀ ପଦ୍ମିନୀ ଦୋରା ଏବଂ ନାଟ୍ୟ ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ ସ୍ୱାଧିନତା ଉତ୍ସବରେ ଅଂଶ ଗ୍ରହଣ କରି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

୭୫ତମ ସ୍ୱାଧିନତା ଦିବସ ଉପଲକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏହି ଅତିଥୀମାନେ ଓଡ଼ିଶାର ପାରମ୍ପରିକ ବେଶଭୂଷା ସହ ଉତ୍ସବର ଶୋଭାବର୍ଦ୍ଧନ କରିବା ସହିତ ଓଡ଼ିଶାର ଅସ୍ମିତାର ଗରିମା ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ତରଫରୁ ଏହି ଅତିଥୀମାନଙ୍କୁ ସମସ୍ତ ଆତିଥ୍ୟ ପ୍ରଦାନ କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମ ସୁପାରିସ କରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ନୂଆଦିଲ୍ଲୀ ଗସ୍ତର ସମସ୍ତ ବନ୍ଦୋବସ୍ତ କରିଥିଲେ ।