Odia News Portal

ରୋଗଶଯ୍ୟାରେ ମେଧାବୀ ଛାତ୍ର, ଚିକିତ୍ସା ସହାୟତା ପାଇଁ ପରିବାରର ଆକୁଳ ନିବେଦନ

ବାସୁଦେବପୁର: ରୋଗଶଯ୍ୟାରେ ପଡିଛି ମେଧାବୀ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯାହାକୁ ନେଇ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ପୁରା ପରିବାର । ଭଦ୍ରକ ଜିଲ୍ଲା ବାସୁଦେବପୁର ବଛଦା ଗାଁର ଶରତ ରାଉତଙ୍କ ଏକମାତ୍ର ପୁଅ ସତ୍ୟବ୍ରତ । ବୟସ ମାତ୍ର ୨୨ବର୍ଷ । ୨୦୨୦ ମସିହାରେ ଭଦ୍ରକ କଲେଜରୁ ପଦାର୍ଥ ବିଜ୍ଞାନରେ ୯୦ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ ସତ୍ୟ । ଆଶା ଥିଲା ଆଗକୁ ଯାଇ ପ୍ରଫେସର ହେବେ । ହେଲେ ଏବେ ସେ ଶଯ୍ୟାଶାୟୀ । ହଠାତ ଦିନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ୱାସ ନେବାରେ କଷ୍ଟ ହେଲା । ଛାତିରେ ପାଣି ଜମିଥିବାରୁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି ।

ବାପା ପର ରାଇଜରେ ଦିନ ମଜୁରିଆ । ଯେତିକି ରୋଜଗାର ସେତିକିରେ ପରିବାରକୁ ପେଟପୁରା ଦାନା ଯୋଗାଇବା କଷ୍ଟକର । ତଥାପି ପୁଅର ଚିକିତ୍ସା ପାଇଁ ସୋର, ବାଲେଶ୍ୱର ଓ ଶେଷରେ କଟକ ବଡ ଡାକ୍ତରଖାନାକୁ ନେଇଥିଲେ ସେ । ଛାତିରୁ ପାଣି କଢ଼ା ହୋଇ ଅପରେସନ ଦରକାର ବୋଲି ଡାକ୍ତର କହିଥିଲେ । ହେଲେ ପରିବାରର ଆର୍ଥିକ ଅବସ୍ଥା ବିଲକୁଲ ଭଲ ନଥିବା ବେଳେ ଅର୍ଥାଭାବରୁ ସତ୍ୟଙ୍କ ଅପରେସନ ହୋଇପାରୁ ନାହିଁ । ପୁଅର ଚିକିତ୍ସା ପାଇଁ ପୁରା ପରିବାର ଆକୁଳ ନିବେଦନ କରିଥିବା ବେଳେ ପ୍ରଶାସନିକ ସହାୟତା ଏବେ ସତ୍ୟଙ୍କ ଚିକିତ୍ସା ପାଇଁ ଜରୁରୀ ହୋଇ ପଡିଛି ।