Odia News Portal

ଆଜି ମହାପ୍ରଭୁଙ୍କ ଭଉଁରୀ ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଛି ଭଉଁରୀ ନୀତି । କୋଭିଡ କଟକଣା ମଧ୍ୟରେ ରୀତି ନୀତି ଅନୁସାରେ ଚାଲିଥିବା ଦେଖିବାକୁ ମିଳିଛି । ଜୋରସୋରରେ ଆଗେଇ ଚାଲିଛି ରଥକାମ । ତିନି ରଥର ଚକଅଖ ନୀତି ସମ୍ପନ୍ନ ହେବ । ରଥ ସଂହିତା ମୁତାବକ ରଥଖଳାରେ ହେବ ନାହାକା, ଚକଅଖ ଡେରା ନୀତି । ଏଥିପାଇଁ ତିନି ରଥର ତିନୋଟି ନାହାକା ଅଖ ଓ ଛଅଟି ଚକକୁ ପ୍ରସ୍ତୁତ କରାଯାଇଛି । ସକାଳଧୂପ ସରିବା ପରେ ଶ୍ରୀମନ୍ଦିରରୁ ବାହାରିଛି ଆଜ୍ଞାମାଳ । ରଥଖଳାକୁ ଏହା ବିଜେ କରିବା ପରେ ଆରମ୍ଭ ହେବ ଭଉଁରୀ ନୀତି ।

ପ୍ରଥମେ ଚକଡେରା ନୀତି ହେବ । ତାଳଧ୍ୱଜ, ତାପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥରେ ଅଖଚକ ସଂଯୋଗ ନୀତି କରାଯିବ । ଭଉଁରୀ ଓ ଦେବସ୍ନାନ ପୂର୍ଣ୍ଣମାକୁ ନେଇ ଜଗନ୍ନାଥ ମନ୍ଦିର ପ୍ରଶାସନ ତତ୍ପର ହୋଇଛି । ସେପଟେ ପହଁଚିଛି ରଥ ଦଉଡି । ୬ଟି ଘେର ଦଉଡି ଓ ୧୪ଟି ରଥ ଟଣା ଦଉଡି ମିଶାଇ ମୋଟ ୨୦ଟି ଦଉଡି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି । ରଥ ଦଉଡି ଗୁଡ଼ିକରେ ୧୨୦ କେଜି ରସି ଲାଗିଛି । ଦଉଡ଼ି ଲମ୍ବ ୬୭ମିଟର ବା ୨୨୦ ଫୁଟ ରହିଛି । ଗତକାଲି ପୁରୀରେ ପହଞ୍ଚିଥିଲା ଦଉଡ଼ି । ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଭଉଁରୀ ନୀତି ।