Odia News Portal

ଓଡ଼ିଶାରେ ଇସିଏମଓ ଚିକିତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଇସିଏମଓ ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ । କରୋନାରେ ଜଟିଳତାରେ ଚିକତ୍ସିତ ରୋଗୀଙ୍କୁ କୋଲକାତା,ହାଇଦ୍ରାବାଦ ଓ ଚେନ୍ନାଇ ନିଆଯଉଛି । ତେବେ ଓଡ଼ିଶାରେ ଇସିଏମଓ ଚିକତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରାକାର ।

ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ୩-୪ ଜଣ ଗୁରୁତର କରୋନା ରୋଗୀଙ୍କୁ ଏହି ଚିକିତ୍ସାର ଆବଶ୍ୟକତା ପଡିଛି ଯାହାକୁ ନେଇ ସେମାନଙ୍କୁ ବାହାର ରାଜ୍ୟକୁ ଏୟାର ଆମ୍ବୁଲାନ୍ସ ଯୋଗେ ପଠାଯାଇଛି । ଏହାକୁ ନେଇ ଆଜି ଡିଏମଇଟି ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ଇକମୋ ଚିକିତ୍ସା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ । ଇସିଏମଓ ମେସିନ୍ ଆଣିବା ପାଇଁ ରାଜ୍ୟ ସରକାର ଟେଣ୍ଡରର ବ୍ୟବସ୍ଥା କରୁଥିବା ମଧ୍ୟ ସୂଚନା ଦେଇଛନ୍ତି ଡା. ସିବିକେ ମହାନ୍ତି ।

ସେ କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଇ ସେହି ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା । ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଭଳି ସାମୟିକ ଭାବେ କିଛି ଦିନ ଟାଣି ନେଇପାରେ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।