Odia News Portal

ଅଧିକ ବିପଦଜନକ ହେବ ମୌସୁମୀ

ଭୁବନେଶ୍ୱର: ଆସୁଛି ମୌସୁମୀ । ଆଜିଠାରୁ ବର୍ଷା ସମ୍ଭାବନା ରହିଛି । ତେବେ ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ମୌସୁମୀ ଅଧିକ ବିପଦଜନକ ହେବ ବୋଲି କୁହାଯାଉଛି । ମୌସୁମୀ ଋତୁ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି ଏବଂ ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ବୃଦ୍ଧିପାଇବାରେ ଲାଗିଛି। ପ୍ରାୟ ଏକ ନିୟୁତ ବର୍ଷର ତଥ୍ୟକୁ ନେଇ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଏଥିରେ କୁହାଯାଇଛି ଯେ ସବୁଜ ଗୃହ ବାଷ୍ପ ନିର୍ଗମନ ଏବଂ ସେହି କାରଣରୁ ବିଶ୍ୱ ପରିବେଶର ତାପମାତ୍ରା ବୃଦ୍ଧି ସହିତ ଉଷ୍ଣ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ବୃଦ୍ଧି ଘଟୁଥିବାରୁ ମୌସୁମୀ ଋତୁରେ ବୃଷ୍ଟିପାତ ପରିମାଣ ଅଧିକ ହେବା ସହିତ ଏହା କ୍ରମଶଃ ଅଧିକରୁ ଅଧିକ ବିପଦ ସୃଷ୍ଟି କରୁଛି।

ସୂଚନାଯୋଗ୍ୟ ଯେ ମୌସୁମୀ ଋତୁରେ ଭାରତୀୟ ଉପମହାଦେଶରୁ ମୃତ୍ତିକା କ୍ଷୟହୋଇ ବଙ୍ଗୋପସାଗରରେ ଜମା ହୋଇଥାଏ। ସେମାନଙ୍କ କହିବା କଥା ଯେ ମୌସୁମୀ ଋତୁରେ ପ୍ରଚୁର ପରିମାଣରେ ମଧୁର ଜଳ ସମୁଦ୍ରକୁ ପ୍ରବାହିତ ହୋଇ ଏହାର ଉପରିଭାଗରେ ଲବଣ ଅଂଶ ହ୍ରାସ କରିଥାଏ। ଏହାଦ୍ୱାରା ସେହି ଉପରିଭାଗରେ ରହିଥିବା ଶୈବାଳଗୁଡିକ ମରିଯାଉଛନ୍ତି ଏବଂ ନିମ୍ନଭାଗରେ ପରସ୍ତ ପରେ ପରସ୍ତ ଜମା ହେବାରେ ଲାଗିଛନ୍ତି। ଏହାକୁ ଗବେଷକମାନେ ନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି। ସେମାନଙ୍କ କହିବା କଥା ମଣିଷର ବିଭିନ୍ନ କାର୍ଯ୍ୟକଳାପ ଯୋଗୁ ସବୁଜ ଗୃହ ବାଷ୍ପ ନିର୍ଗମନ ବୃଦ୍ଧିପାଉଛି ଏବଂ ତାହା ଜଳବାୟୁକୁ ପ୍ରଭାବିତ କରୁଛି। କହିବାକୁ ଗଲେ ଏହା ସମୁଦାୟ ପରିବେଶ ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପକାଉଛି।