Odia News Portal

ଷ୍ଟ୍ରେଚରରେ ୨ କିଲୋମିଟର ବୁହାହେଲେ ଗର୍ଭବତୀ

ବିଷମକଟକ: ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଷ୍ଟ୍ରେଚରରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାରାଫାଶ ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁର ସାମୁଦୁ ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୁହା ହୋଇଛି । ପରିବାର ଲୋକ ଏବଂ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହଯୋଗରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସଂଯୋଗ କରିବା ଲାଗି ସରକାର ବିଭିନ୍ନ ସଡ଼କ ଯୋଜନାମାନ ଘୋଷଣା କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି । କିନ୍ତୁ ଆଜି ବି ଅନେକ ଗାଁକୁ ରାସ୍ତା ନଥିବା ଦେଖିବାକୁ ମିଳୁଛି । ଯେଉଁ କାରଣରୁ ବାରମ୍ବାର ଏଭଳି ଗର୍ଭବତୀଙ୍କୁ ଭାରରେ ବୋହିବା ଘଟଣାର ରିପିଟ ଟେଲିକାଷ୍ଟ ହେଉଛି । ତେବେ ଏଦିଗରେ ସରକାର ଏବଂ ପ୍ରଶାସନ ଧ୍ୟାନଦେବା ଲାଗି ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଫଳାଫଳ ଶୂନ ।


ସେପଟେ ରାୟଗଡ଼ା ଭଳି ଆଦିବାସୀ ଅଞ୍ଚଳରୁ ବାରମ୍ବାର ଏଭଳି ଦୃଶ୍ୟ ଲୋକଲୋଚନକୁ ଆସୁଥିଲେ ସୁଦ୍ଧା ଆଦିବାସୀ ବିକାଶ ମନ୍ତ୍ରୀ ଏଦିଗରେ ଜଗନ୍ନାଥ ସାରକା ଦୃଷ୍ଟି ନଦେବାକୁ ସାଧାରଣରେ ନିନ୍ଦା କରାଯାଉଛି । ସ୍ଥାନୀୟ ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଗାଁକୁ ପକ୍କାରାସ୍ତା ଖଣ୍ଡେ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ ।